ଏଇ ଭାରତରେ

ବୁଲା କୁକୁର, ଗାଈ ଓ ବାଛୁରିଙ୍କୁ ରୁଟି ଖାଇବାକୁ ଦେଉଛନ୍ତି ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦର ଗୌତମ ଯାଦବ। ସେ ଠେଲାଗାଡ଼ିରେ ପ୍ରତିଦିନ ସନ୍ଧ୍ୟାରେ ଘରକୁ ଘର ବୁଲି ବଳକା ରୁଟି ସଂଗ୍ରହ କରୁଛନ୍ତି। ଘରେ ବଳୁଥିବା ରୁଟିକୁ ଲୋକେ ସାଇତି ରଖିଥାନ୍ତି ଓ ସେସବୁକୁ ଗୌତମ ଆସିବା କ୍ଷଣି ତାଙ୍କୁ ଦେଇଦିଅନ୍ତି। ଗୌତମ ଜଣେ ଶ୍ରମିକ। ସେ ଦିନବେଳା କାମକରି ନିଜର ପ୍ରତିପୋଷଣ ପାଇଁ ମଜୁରି ଆଣନ୍ତି। କାମ ସାରି ଶ୍ରମିକ ମାନେ ଘରକୁ ଫେରିବାପରେ ସେ ରୁଟି ସଂଗ୍ରହରେ ଲାଗିଯାଆନ୍ତି। ସେ ରୁଟି ଆଣିବା ପରେ ଖୋଲା ପଡ଼ିଆ କିମ୍ବା ରାସ୍ତାକୁ ଯାଇ ବୁଲା କୁକୁର, ଗାଈ ଓ ବାଛୁରିଙ୍କୁ ଖାଇବାକୁ ଦେଉଛନ୍ତି। ପ୍ରତିଦିନ ସେ ପାଖାପାଖି ୩୦୦ ପ୍ରାଣୀଙ୍କ ଆହାରଦାତା ସାଜିଛନ୍ତି। ଏହି କାମ ସେ ୭ ବର୍ଷ ହେଲା କରିଆସୁଛନ୍ତି। ରୁଟି ସଂଗ୍ରହ କରିବା ପ୍ରଥମେ କଷ୍ଟକର ଥିଲା, ହେଲେ ପରେ ଗୌତମଙ୍କ ଗାଡ଼ି ଘର ପାଖରେ ପହଞ୍ଚିବା ବେଳକୁ ଲୋକେ ସଙ୍ଗେ ସଙ୍ଗେ ରୁଟି ଦେଇଦେଉଛନ୍ତି। ତାଙ୍କର ଏହି କାର୍ଯ୍ୟକୁ ନିକଟରୁ ଦେଖୁଥିବା ପଡ଼ୋଶୀମାନେ ମଧ୍ୟ ଗୌତମଙ୍କ ସହିତ ସାମିଲ ହୋଇଗଲେଣି। ପରିବେଶ ସୁରକ୍ଷା ପାଇଁ ସେ ପଲିଥିନ ବ୍ୟାଗରେ କାହାଠାରୁ ରୁଟି ସଂଗ୍ରହ କରୁନାହାନ୍ତି।

Share
Tags: editorial