ପ୍ରଥମ ଦଳ ଭାବେ ଆଇପିଏଲ୍‌ ଖେଳିବା ପାଇଁ ୟୁଏଇ ଗଲା ଏହି ଫ୍ରାଞ୍ଚାଇଜ୍‌

ନୂଆଦିଲ୍ଲୀ, ୨୦।୮: ସେପ୍ଟେମ୍ବର ୧୯ରୁ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣ ଆରମ୍ଭ ହେବ। କରୋନା ମହାମାରୀ ଲାଗି ଚଳିତ ବର୍ଷ ଆଇପିଏଲ୍‌ ପ୍ରତିଯୋଗିତା ୟୁଏଇରେ ଖେଳାଯିବ। ଏଥିଲାଗି ଗୁରୁବାର ପ୍ରଥମ ଦୁଇ ଫ୍ରାଞ୍ଚାଇଜ ଭାବେ ରାଜସ୍ଥାନ ରୟାଲ୍ସ ଓ କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବ ଦଳ ଦୁବାଇ ଅଭିମୁଖେ ଗସ୍ତ କରିଛନ୍ତି। ତେବେ ଟାଇମିଂ ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ କିଙ୍ଗ୍ସ ଇଲେଭେନ ଦଳର ଦ୍ରୁତ ବୋଲର ମହମ୍ମଦ ସାମି ଏକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଯେଉଁଥିରେ ସାଥୀ ଖେଳାଳିଙ୍କ ସହ ସେ ବିମାନରେ ବସିଥିବାର ଦେଖିବାକୁ ମିଳିଛି। ପଞ୍ଜାବ ଦଳ ଅଫିସିଆଲ ଟୁଇଟର୍‌ ଆକାଉଣ୍ଟରେ ମଧ୍ୟ ଏକ ଭିଡିଓ ପୋଷ୍ଟ କରାଯାଇଛି ଯେଉଁଥିରେ ଖେଳାଳିଙ୍କ ସହ ଦୁଇ କୋଚିଂ ଷ୍ଟାଫ୍‌ ଅନିଲ କୁମ୍ବଲେ ଓ ଓ୍ବାସିମ ଜାଫର ମଧ୍ୟ ବିମାନର ଆଗଧାଡ଼ିରେ ବସିଥିବାର ଦେଖାଯାଇଛି।


ପ୍ରଥମ ସଂସ୍କରଣ ଚାମ୍ପିୟନ ରାଜସ୍ଥାନ ରୟାଲ୍ସ ଦଳ ମଧ୍ୟ ଏକ ସ୍ବତନ୍ତ୍ର ବିମାନ ଯୋଗେ ଦୁବାଇ ଅଭିମୁଖେ ଯାତ୍ରା କରିଛି। ଦଳର ସମସ୍ତ ଖେଳାଳି ସୁରକ୍ଷା ଦୃଷ୍ଟିରୁ ପିପିଇ କିଟ୍‌ ପରିଧାନ କରି ବିମାନରେ ଯାତ୍ରା କରିଥିଲେ। ତୃତୀୟ ଦଳ ଭାବେ ଚେନ୍ନାଇ ସୁପର୍‌ କିଙ୍ଗ୍ସ ଶୁକ୍ରବାର ଗସ୍ତ କରିବ ବୋଲି ଫ୍ରାଞ୍ଚାଇଜ ସିଇଓ କାସି ବିଶ୍ୱନାଥନ ସୂଚନା ଦେଇଛନ୍ତି। ଆଇପିଏଲ୍‌-୧୩ ସେପ୍ଟେମ୍ବର ୧୯ରୁ ୫୩ ଦିନ ଧରି ଖେଳାଯିବ। ଫାଇନାଲ ମ୍ୟାଚ୍‌ ନଭେମ୍ବର ୧୦ରେ ଅନୁଷ୍ଠିତ ହେବ। ୟୁଇଏଇର ୩ଟି ଭେନ୍ୟୁ ଆବୁଧାବି, ଶାରଜା ଓ ଦୁବାଇରେ ସମସ୍ତ ମ୍ୟାଚ୍‌ ଖେଳାଯିବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି।

Share