ଭଞ୍ଜନଗର,୧୫।୧୧(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ନାରାୟଣପାଟଣାସ୍ଥିତ ନାରାୟଣ ସ୍ବାମୀ ମନ୍ଦିରରୁ ଶୁକ୍ରବାର ବିଳମ୍ବିତ ରାତିରେ ଏକ ବଡ ଧରଣର ଚୋରିହୋଇଛି। ପ୍ରାୟ ୩ ଶହ ବର୍ଷ ତଳର ଅଷ୍ଟଧାତୁ ନିର୍ମିତ ୪ଟି ରାଧାକୃଷ୍ଣ ମୂର୍ତ୍ତି, ୨ ଟି ନର୍ତ୍ତକୀ ସମେତ ଅନ୍ୟାନ୍ୟ ଜିନିଷ ଚୋରି ହୋଇଛି। ଯାହାର ଆନୁମାନିକ ମୂଲ୍ୟ ବିପୁଳ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।
ଖବର ପାଇ ତାରସିଂ ଥାନା ଅଧିକାରୀ ଶୁଭଲକ୍ଷ୍ମୀ ପୂଜାରୀ, ଭଞ୍ଜନଗର ଥାନା ଅଧିକାରୀ ଜିବନାନନ୍ଦ ଜେନା, ଏସଡିପିଓ ଦୀପକ ମିଶ୍ର ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏହି ଚୋରିରେ ଏକ ବଡ ଧରଣର ରାକେଟ ଜଡ଼ିତ ଥିବା ଆଶଙ୍କା କରାଯାଉଛି। ତେଣୁ ପୋଲିସ ସବୁ ଦିଗକୁ ଦେଖି ତଦନ୍ତ ଚଳାଇଛି। ଏଥିସହ ଅଧିକ ତଦନ୍ତ ପାଇଁ ସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ ଟିମ ଆଉ କିଛି ସମୟ ପରେ ପହଞ୍ଚିବ।
ଏହି ଘଟଣାକୁ ନେଇ ସମ୍ପୃକ୍ତ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ସୂଚନା ଯୋଗ୍ୟ ଯେ ଘୁମୁସରର ରାଜା ଭଞ୍ଜ ରାଜବଂଶ ପକ୍ଷରୁ ୧୭୬୦ ମସିହା ସମୟରେ ଘୁମୁସରର ରାଜଧାନୀ କୁଲାଡ ଏବଂ କୁଲାଡକୁ ଲାଗି ଥିବା ନାରାୟଣ ପାଟଣାରେ ଏକାଧିକ ମନ୍ଦିର ନିର୍ମାଣ ହୋଇଥିଲା। ସେଥିମଧ୍ୟରୁ କୁଲାଡ ଜଗନ୍ନାଥ ମନ୍ଦିର ଏବଂ ନାରାୟଣ ମନ୍ଦିର ପ୍ରମୁଖ ଥିଲା। ୧୯୯୩ ମସିହାରେ କୁଲାଡ ଜଗନ୍ନାଥ ମନ୍ଦିରରୁ ସମସ୍ତ ଅଳଙ୍କାର ଲୁଟ ହୋଇଯାଇଥିଲା । ଯାହାର ଆନୁମାନିକ ମୂଲ୍ୟ ସେ ସମୟରେ ୧ କୋଟି ହେବ। ଆଜି ପର୍ଯ୍ୟନ୍ତ ଉକ୍ତ ଲୁଟ ଅଳଙ୍କାରର କୌଣସି ପତ୍ତା ମିଳୁନାହିଁ। ଏହିଭଳି ପରିସ୍ଥିତିରେ ଗତକାଲି ରାତିରେ ନାରାୟଣ ମନ୍ଦିରରୁ ଚୋରି ହୋଇଛି। ତେଣୁ ଦିନକୁ ଦିନ ଠାକୁର ଶ୍ରୀହୀନ ହେଉଛନ୍ତି। କୁଲାଡ ମନ୍ଦିରରୁ ଚୋରି ପରଠୁ ଗ୍ରାମବାସୀଙ୍କ ସହଯୋଗରେ ସୁନା ବେଶ ହେଉଛି। ଗତକାଲିର ଘଟଣା ଚିନ୍ତାର ବିଷୟ ହୋଇଛି। ଅପରପକ୍ଷେ ପୋଲିସ ଚୋରି ସୁରାକ କିଛିଟା ପାଇଛି। ଏକ ସପ୍ତାହ ମଧ୍ୟରେ ଲୁଟ ଘଟଣାର ରହସ୍ୟ ଉନ୍ମୋଚିତ ହୋଇଯିବ ବୋଲି ଜଣେ ପୋଲିସ ଅଧିକାରୀ ଏଠାରେ ସୂଚନା ଦେଇଛନ୍ତି।
Dharitri – Odisha’s No.1 Odia Daily


