Categories: ଖେଳ

ଭାରତୀୟ ଦଳର ସମର୍ଥନରେ ପୂର୍ବତନ ପାକିସ୍ତାନ ଅଧିନାୟକ

ଇସଲାମାବାଦ୍‌,୧୧।୯: କୋଚିଂ ଷ୍ଟାଫ୍‌ କୋଭିଡ୍‌-୧୯ ସଂକ୍ରମିତ ହେବା ପରେ ଇଂଲଣ୍ଡ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଟେଷ୍ଟ ଖେଳିବାକୁ ଅକ୍ଷମତା ପ୍ରକାଶ କରିଥିଲା ଟିମ୍‌ ଇଣ୍ଡିଆ। ଏଭଳି ନିଷ୍ପତ୍ତିକୁ କିଛି ପୂର୍ବତନ କ୍ରିକେଟର ସମାଲୋଚନା କରୁଥିବା ବେଳେ ଭାରତୀୟ ଖେଳାଳିଙ୍କ ସପକ୍ଷରେ ବାହାରିଛନ୍ତି ପାକିସ୍ତାନର ପୂର୍ବତନ ଅଧିନାୟକ ଇଞ୍ଜମାମ-ଉଲ-ହକ୍‌।

“କୋଭିଡ୍‌ କାରଣରୁ ଭାରତ-ଇଂଲଣ୍ଡ ସିରିଜ୍‌ର ୫ମ ଟେଷ୍ଟ ବାତିଲ ହେବା ଦୁର୍ଭାଗ୍ୟର ବିଷୟ। ଏହା ଏକ ଚମତ୍କାର ସିରିଜ୍‌ ଥିଲା। କିନ୍ତୁ ଭାରତୀୟ ଦଳ କଥା ଚିନ୍ତା କରନ୍ତୁ, ସେମାନେ କୋଚ୍‌ ଓ ସପୋର୍ଟ ଷ୍ଟାଫ୍‌ଙ୍କ ବିନା ଚତୁର୍ଥ ଟେଷ୍ଟ ଖେଳିଥିଲେ। ଖେଳାଳିଙ୍କ ସହ ଟ୍ରେନିଂ କରୁଥିବା ଓ ଡ୍ରେସିଂ ରମ୍‌ ଶେୟାର କରୁଥିବା ଫିଜିଓ ପଜିଟିଭ ଚିହ୍ନଟ ହେବା ପରେ ଖେଳାଳିମାନେ ଚିନ୍ତିତ ହେବା ସ୍ବାଭାବିକ। ଟେଷ୍ଟ ମ୍ୟାଚ୍‌ରେ ଫିଜିଓଙ୍କ ଉପସ୍ଥିତି ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ବିନା ଫିଜିଓରେ ଖେଳିବା ଖୁବ୍‌ କଷ୍ଟକର। କାରଣ ଖେଳାଳି ମ୍ୟାଚ୍‌ ବେଳେ ଆହତ ହେଲେ ତୁରନ୍ତ ଫିଜିଓଙ୍କ ଆବଶ୍ୟକତା ପଡ଼େ। ସେମାନଙ୍କୁ ମ୍ୟାଚ୍‌ ପାଇଁ ଫିଟ୍‌ କରାଇବା ଫିଜିଓ ତଥା ଟ୍ରେନରଙ୍କ ଦାୟିତ୍ୱ। ଟେଷ୍ଟ ମ୍ୟାଚ୍‌ର ପ୍ରତ୍ୟେକ ଦିନର ଖେଳ ପରେ ଫିଜିଓଙ୍କ କାମ ଆରମ୍ଭ ହୁଏ। ସେ ମ୍ୟାଚ୍‌ର ଅଗାମୀ ଦିନ ପାଇଁ ଖେଳାଳିଙ୍କୁ ଫିଟ୍‌ ରଖନ୍ତି। ଏଣୁ ସମସ୍ତ ଖେଳାଳିଙ୍କ ରିପୋର୍ଟ ନେଗେଟିଭ ଆସିବା ପରେ ମଧ୍ୟ ଟିମ୍‌ ଇଣ୍ଡିଆ ମ୍ୟାଚ୍‌ରୁ ଓହରିଯିବାକୁ ଭୁଲ କୁହାଯାଇପାରିବ ନାହିଁ”  ବୋଲି ଇଞ୍ଜମାମ କହିଛନ୍ତି।

Share