ବରଗଡ଼,୧୦।୩(ପ୍ରେମାନନ୍ଦ ଖମାରୀ):ରବି ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ମଙ୍ଗଳବାରରୁ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେବ। କିନ୍ତୁ ବିଭାଗୀୟ ଅଧିକାରୀଙ୍କଠାରେ ଆବଶ୍ୟକ କାଗଜାତ ଦାଖଲ ସତ୍ତ୍ୱେ ଏପର୍ଯ୍ୟନ୍ତ ଜିଲାର ଅନେକ ଚାଷୀ ଗତ ଖରିଫ୍ରେ ଅମଳ ଧାନବିକ୍ରି ପାଇଁ ପଞ୍ଜୀକୃତ ହୋଇ ପାରି ନାହାନ୍ତି। ଫଳରେ ସେମାନଙ୍କ ଧାନ ଏପର୍ଯ୍ୟନ୍ତ ବିକ୍ରି ହୋଇ ନ ପାରି ବିଭିନ୍ନ ମଣ୍ଡି, ଖଳାରେ ଖୋଲା ଆକାଶତଳେ ପଡ଼ି ରହିଛି। ଧାନବିକ୍ରିରେ ଏଭଳି ଅବ୍ୟବସ୍ଥାକୁ ନେଇ ଜିଲାରେ ଚାଷୀ ଅସନ୍ତୋଷ ଲାଗି ରହିଛି। ଏହି କ୍ରମରେ ସୋମବାର ଅତାବିରା ନିୟନ୍ତ୍ରିତ ବଜାର କମିଟି(ଆରଏମସି) ଅଧୀନ ଭେଡ଼େନ ବ୍ଲକ ସହରାଟିକ୍ରା ମଣ୍ଡି ଉପରେ ନିର୍ଭରଶୀଳ ଚାଷୀମାନେ ପୁଣି ବାଇକ୍ ଯୋଗେ ଧାନ ଆଣି ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଗଦା କରିଛନ୍ତି। ଏହା ସହିତ ପଖାଳ ଖାଇ ସେଠାରେ ସେମାନେ ଧାରଣାରେ ବସିଛନ୍ତି। ଖବର ଲେଖା ହେବା ସୁଦ୍ଧା(ସନ୍ଧ୍ୟା ୬ଟା ୩୦ ମିନିଟ୍ ପର୍ଯ୍ୟନ୍ତ) ଜିଲାପାଳଙ୍କ କାର୍ଯ୍ୟାଳୟରେ ଚାଷୀଙ୍କ ଧାରଣା ଜାରି ରହିଛି।
ସୂଚନା ଅନୁଯାୟୀ, ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଗତବର୍ଷ ଅଗଷ୍ଟ ମାସରେ ଚାଷୀ ପଞ୍ଜୀକରଣ ଚାଲିଥିଲା। ସେତେବେଳେ ଚାଷୀମାନେ ବିଭାଗୀୟ କାର୍ଯ୍ୟାଳୟରେ ଆବଶ୍ୟକ କାଗଜାତ୍ ପ୍ରଦାନ କରି ପଞ୍ଜୀକରଣ ପାଇଁ ଆବେଦନ କରିଥିଲେ। ମାତ୍ର ଏପର୍ଯ୍ୟନ୍ତ ଜିଲାର ଅନେକ ଚାଷୀ ଧାନବିକ୍ରି ପାଇଁ ପଞ୍ଜୀକୃତ ହୋଇ ପାରି ନାହାନ୍ତି ଏବଂ ଧାନବିକ୍ରିରୁ ବଞ୍ଚତ୍ତ ଅଛନ୍ତି। ଜିଲାପାଳଙ୍କଠାରୁ ଆରମ୍ଭ କରି ସ୍ଥାନୀୟ ବିଧାୟକ, ଏମ୍ପି ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଏହି ସମସ୍ୟା ନେଇ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା କିଛି ସୁଫଳ ମିଳି ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।
ଏଭଳି ସମସ୍ୟାରେ ଛନ୍ଦି ହୋଇ ପଡ଼ିଥିବା ଭେଡ଼େନ ବ୍ଲକ ଅନ୍ତର୍ଗତ ବହଲପାଲି, ତାଲମେଣ୍ଡା, ଦେକୁଲବା, ପାତରପାଲି, ଦେହେରୀପାଲି, ସାନ ପିପିଲିପାଲି, ଖଗସିପାଲି ଆଦି ଗ୍ରାମର ଚାଷୀଙ୍କ ପ୍ରାୟ ୨୫ହଜାର ପ୍ୟାକେଟ୍ ଧାନ ସହରାଟିକ୍ରା ମଣ୍ଡିରେ ବିକ୍ରି ଅପେକ୍ଷାରେ ପଡ଼ି ରହିଛି। ଧାନ ଉଠାଣ ପାଇଁ ବାରମ୍ବାର ଦାବି ସତ୍ତ୍ୱେ ପ୍ରଶାସନିକ ତପତ୍ରତା ପ୍ରକାଶ ନ ପାଇବା ପ୍ରତିବାଦରେ ଗତ ୫ତାରିଖ ଉପରୋକ୍ତ ଗ୍ରାମର ଚାଷୀମାନେ ବାଇକ୍ ଯୋଗେ ୧୫ ପ୍ୟାକେଟ୍ ଧାନ ଆଣି ଜିଲାପାଳଙ୍କ କାର୍ଯ୍ୟାଳୟରେ ଗଦା କରି ଧାରଣାରେ ବସିବା ସହିତ ସନ୍ଧ୍ୟାରେ ଘରକୁ ଫେରିଥିଲେ। ମାତ୍ର ରାତାରାତି ସେହି ଧାନ ଜିଲାପାଳଙ୍କ କାର୍ଯ୍ୟାଳୟରୁ ଗାଏବ୍ ହୋଇଯିବାରୁ ଗତ ୬ତାରିଖ ଧାନ ଚୋରି ଅଭିଯୋଗ ନେଇ ଚାଷୀମାନେ ବରଗଡ଼ ଟାଉନ ଥାନାରେ ଏତଲା ଦେଇଥିଲେ।
ତେବେ ସେହି ଧାନର ଥଳକୂଳ ଏପର୍ଯ୍ୟନ୍ତ ମିଳି ନ ଥିବାବେଳେ ସୋମବାର ପୁଣି ଚାଷୀମାନେ ବାଇକ୍ ଯୋଗେ ଧାନ ଆଣି ଜିଲାପାଳଙ୍କ କାର୍ଯ୍ୟାଳୟରେ ଗଦା କରିବା ସହିତ ଧାରଣାରେ ବସିଛନ୍ତି। ଧାରଣାସ୍ଥଳକୁ ସହକାରୀ ସମବାୟ ନିବନ୍ଧକ(ଏଆରସିଏସ୍) ରାଧେ ମେହେର, ଜିଲା ଯୋଗାଣ ଅଧିକାରୀ(ସିଏସଓ) ଦିବ୍ୟସିଂ ବଡ଼ମାଳି, ସହକାରୀ ଯୋଗାଣ ଅଧିକାରୀ ବ୍ୟୋମକେଶ ମାଝି, ଅତିରିକ୍ତ ଉପଜିଲାପାଳ ମଦନଲାଲ ପଣ୍ଡା ପହଞ୍ଚି ଚାଷୀଙ୍କ ସହିତ ଆଲୋଚନା କରିଥିଲେ ଏବଂ ଉକ୍ତ ସମସ୍ୟାର ସମାଧାନ ପାଇଁ ୨ଦିନ ସମୟ ଲୋଡ଼ିଥିଲେ। ମାତ୍ର ଚାଷୀମାନେ ଧାନବିକ୍ରି ନ ହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ରୋକଠୋକ୍ ଶୁଣାଇ ଦେଇଥିଲେ। ସଂଯୁକ୍ତ କୃଷକ ସଂଗଠନର ଉପଦେଷ୍ଟା ରମେଶ ମହାପାତ୍ର, ରବିଶଙ୍କର ପ୍ରଧାନ, ନିରଞ୍ଜନ ପ୍ରଧାନ, ଯୋଗେଶ ପ୍ରଧାନ, ସୁରେଶ ନିକାଣ୍ଟିଙ୍କ ସମେତ ଅନେକ ଚାଷୀ ଧାରଣାରେ ସାମିଲ ଥିଲେ।
Dharitri – Odisha’s No.1 Odia Daily

