Categories: କୋରାପୁଟ

ବୈପାରିଗୁଡା ବ୍ଲକରେ ହେବ ମଡେଲ ଜଳ ବିଭାଜିକା ପ୍ରକଳ୍ପ

କୋରାପୁଟ,୨୪।୪(ସ୍ବ.ପ୍ର.): ଭାରତୀୟ ମୃତ୍ତିକା ଓ ଜଳ ସଂରକ୍ଷଣ ସଂସ୍ଥାନ (ଆଇସିଏଆର)ର ଜ୍ଞାନ କୌଶଳ ସହାୟତାରେ କୋରାପୁଟ ଜିଲା ବୈପାରିଗୁଡା ବ୍ଲକର ଜି. ମାଳିଗୁଡାଠାରେ ମଡେଲ ଜଳ ବିଭାଜିକା ପ୍ରକଳ୍ପ ନିର୍ମାଣ ହେବ। ରାଜ୍ୟ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ନିର୍ଦ୍ଦେଶକ ହେମନ୍ତ କୁମାର ପଣ୍ଡା ଉକ୍ତ ଅଞ୍ଚଳକୁ ଗସ୍ତ ପରେ କ୍ଷେତ୍ର ପରିଦର୍ଶନରେ କରି ଏହି ସୂଚନା ଦେଇଛନ୍ତି। ତାଙ୍କ ସହ ସୁନାବେଡାସ୍ଥିତ ଆଇସିଏଆରର ମୁଖ୍ୟ ଧ୍ରୁବଚରଣ ସାହୁ ଉପସ୍ଥିତ ଥିଲେ। ଜି.ମାଳିଗୁଡା ଗ୍ରାମର ଚାଷୀଙ୍କ ଆର୍ଥତ୍କ ଅଭିବୃଦ୍ଧି ଲକ୍ଷ୍ୟରେ କରାଯାଉଥିବା ଏହି ମଡେଲ ପ୍ରକଳ୍ପ ନିର୍ମାଣ ହେଲେ ୬୦୦ ହେକ୍ଟର ଜମି ଜଳସେଚିତ ହେବ। ୩୦ରୁ ଉର୍ଦ୍ଧ୍ୱ ପରିବାର ମିଶ୍ରିତ ଚାଷ କରି ଉପକୃତ ହେବା ନେଇ ଲକ୍ଷ୍ୟ ରଖାଯାଇଛି। ପ୍ରକଳ୍ପ ଲାଗି ଆଇସିଏଆର ପକ୍ଷରୁ ମାଟିର ଗୁଣବତା ପରୀକ୍ଷା କରାଯାଇ ଏହି ମାଟିରେ କେଉଁ ପ୍ରକାର ଚାଷ କରାଯାଇପାରିବ ଓ ସେଠାରେ କି ପ୍ରକାର ସମସ୍ୟା ରହିଛି ଏବଂ ଏହାର ସମାଧାନ କିପରି କରାଯିବ ସେ ନେଇ ଗୁରୁତ୍ୱାରୋପ କରିବାକୁ ନିର୍ଦ୍ଦେଶକ ପଣ୍ଡା ଆଇସିଏଆର ମୁଖ୍ୟଙ୍କୁ ପରାମର୍ଶ ଦେଇଛନ୍ତି। କ୍ଷେତ ପରିଦର୍ଶନବେଳେ କୋରାପୁଟ ଜିଲା ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଅରୁଣ ଦାସ, ଅତିରିକ୍ତ ଜିଲା ମୃତ୍ତିକା ସଂରକ୍ଷଣ ଅଧିକାରୀ ଅଶୋକ ସେନାପତିଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ ା