ଛାତ୍ରୀ ପ୍ରବେଶ କରିବା ପରେ ଜେଇଇ ପରୀକ୍ଷା କେନ୍ଦ୍ରରେ ଖେଳିଗଲା ଆତଙ୍କ; କାହିଁକି ଜାଣନ୍ତୁ…

କୋଟା, ୧।୯: ରାଜସ୍ଥାନର ଶିକ୍ଷାର ସହର କୋଟାରେ ଜେଇଇ ମେନ୍‌-୨୦୨୦ ପରୀକ୍ଷାର ପ୍ରଥମ ଦିନରେ ମଙ୍ଗଳବାର ପରୀକ୍ଷା କେନ୍ଦ୍ରରେ ଆତଙ୍କ ଖେଳିଯାଇଛି। ସେପ୍ଟେମ୍ବର ୧ରୁ ୬ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଜେଇଇ ପରୀକ୍ଷା ଲାଗି କୋଟାରେ ୩ଟି ସେଣ୍ଟର ବ୍ୟବସ୍ଥା କରାଯାଇଛି। କୋଟା ଝାଲାବାଡ଼ ରୋଡ୍‌ସ୍ଥିତ ରଣପୁର ପରୀକ୍ଷା କେନ୍ଦ୍ରରେ ଏକ ଅଘଟଣ ଘଟିଯାଇଛି। ଏଠାରେ ଜଣେ ଛାତ୍ରୀ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ପରେ ନିଜର ପରୀକ୍ଷାକୁ ଆଗାମୀ ଦିନରେ କରିବାକୁ ଅନୁରୋଧ କରିଥିଲେ। ଯେତବେଳେ ଛାତ୍ରୀଙ୍କୁ ଏହାର କାରଣ ପଚରା ଯାଇଥିଲା ସେ ନିଜକୁ କରୋନା ଭାଇରସ୍‌ ସଂକ୍ରମିତ ହୋଇଥିବା ଆଶଙ୍କା ପ୍ରକାଶ କରିଥିଲେ। ଛାତ୍ରୀଙ୍କଠାରୁ ଏହି କଥା ଶୁଣିବା ପରେ ପରୀକ୍ଷା କେନ୍ଦ୍ରରେ ଉପସ୍ଥିତ ଅଧିକାରୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା। ଦେଖୁ ଦେଖୁ ଏହି ଖବର ପୁରା ପରୀକ୍ଷା ସେଣ୍ଟରରେ ଖେଳିଗଲା। ଏବଂ ସମସ୍ତେ କରୋନା ସଂକ୍ରମିତ ହେବା ଭୟରେ ଆତଙ୍କିତ ହୋଇଯାଇଥିଲେ। ତେବେ ପରେ ଜଣାପଡ଼ିଲା ଯେ, ଯୁତୀଜଣଙ୍କ ନୁହେଁ ବରଂ ତାଙ୍କ ବାପା କରୋନା ଆକ୍ରାନ୍ତ ହୋଇଛନ୍ତି। ଏହାପରେ ଛାତ୍ରୀଜଣଙ୍କୁ ଗୋଟିଏ ପାର୍ଶ୍ୱରେ ରଖାଯାଇଥିଲା। ପରୀକ୍ଷା କେନ୍ଦ୍ରର ଅଧିକାରୀମାନେ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ)ର ପ୍ରମୁଖ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ। ଏହାପରେ ଛାତ୍ରୀଜଣଙ୍କ ପରୀକ୍ଷା ବୁଧବାର କରିବା ଲାଗି ନିଷ୍ପତ୍ତି ନିଆଯାଇଥିଲା। ଛାତ୍ରୀଙ୍କ ପରେ କରୋନା ଟେଷ୍ଟ ପାଇଁ ସେଣ୍ଟରକୁ ନିଆଯାଇଥିଲା।

Share