ଭୁବନେଶ୍ୱର,୨୩ା୧(ଅନୁରାଧା ମହାରଣା): ଫେବୃଆରୀ ପହିଲାରେ ଦେଶର ସାଧାରଣ ବଜେଟ ଉପସ୍ଥାପିତ ହେବାକୁ ଯାଉଛି ଏବଂ ଏଥର ଟ୍ୟାକ୍ସ ସ୍ଲାବ୍ରେ ପରିବର୍ତ୍ତନ ଏବଂ ନୂତନ ଟିକସ ବ୍ୟବସ୍ଥା ନେଇ ଆଲୋଚନା ହେଉଛି। ଏହି ବଜେଟ ସାଧାରଣ ନାଗରିକ, ବିଶେଷକରି ମଧ୍ୟବିତ୍ତ ଏବଂ ଉଚ୍ଚ ଆୟକାରୀଙ୍କ ପାଇଁ ଆୟକର କ୍ଷେତ୍ରରେ ଅନେକ ଆଶ୍ୱସ୍ତି ଆଶା କରାଯାଉଛି। ୨୦୨୫ ବଜେଟରେ ନୂତନ ଟିକସ ବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକୁ ଟିକସମୁକ୍ତ କରିବାକୁ ସରକାର ବିଚାର କରୁଛନ୍ତି। ଏହାର ଅର୍ଥ ହେଉଛି ଯଦି ଜଣଙ୍କର ବାର୍ଷିକ ଆୟ ୧୦ ଲକ୍ଷ ଟଙ୍କା ମଧ୍ୟରେ ରହିଛି ତେବେ ତାଙ୍କୁ ଟିକସ ଦେବାକୁ ପଡ଼ିବ ନାହିଁ । ଯଦି ଏହି ପ୍ରସ୍ତାବ କାର୍ଯ୍ୟକାରୀ ହୁଏ ମଧ୍ୟବିତ୍ତମାନଙ୍କୁ ବଡ଼ ଆଶ୍ୱସ୍ତି ମିଳିବ। ସୂଚନା ଥାଉକି, ବର୍ତ୍ତମାନ, ଯଦି କାହାର ବାର୍ଷିକ ଆୟ ୧୫ ଲକ୍ଷରୁ ଅଧିକ, ତେବେ ଏହା ଉପରେ ୩୦% ଟିକସ ଆଦାୟ କରାଯାଏ। ମାତ୍ର ୨୦୨୫ରୁ ୨୦ଲକ୍ଷ ମଧ୍ୟରେ ଆୟ ଥିବା ଲୋକଙ୍କ ପାଇଁ ବଜେଟ ୨୦୨୫ ରେ ଏକ ନୂତନ ସ୍ଲାବ୍ ପ୍ରଚଳନ କରାଯାଇପାରେ। ଏହି ନୂତନ ସ୍ଲାବ୍ରେ ଟ୍ୟାକ୍ସ ୩୦%ରୁ ୨୫% କୁ ହ୍ରାସ କରାଯାଇପାରେ। ଏହି ପରିବର୍ତ୍ତନ ବିଶେଷ ଭାବରେ ଉଚ୍ଚ ଆୟକାରୀ ଗୋଷ୍ଠୀ ପାଇଁ ଶୁଭଙ୍କର ହୋଇପାରେ ଏବଂ ସେମାନେ ଭାରି ଟିକସ ହାରକୁ ଏଡାଇପାରିବେ। ନୂତନ ଟିକସ ବ୍ୟବସ୍ଥାରେ ୭.୭୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ କୌଣସି ଟିକସ ନାହିଁ। ଯଦି ଏହି ସୀମା ୧୦ ଲକ୍ଷକୁ ବୃଦ୍ଧି କରାଯାଏ, ତେବେ ଅନେକ ଲକ୍ଷ ଲୋକ ଏଥିରୁ ଉପକୃତ ହେବେ। ଏହି ପରିବର୍ତ୍ତନ ପରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ସମ୍ପୂର୍ଣ୍ଣ ଟିକସମୁକ୍ତ ହୋଇପାରିବ, ଯେଉଁ କାରଣରୁ ଛୋଟ ଏବଂ ମଧ୍ୟବିତ୍ତ ଲୋକମାନେ ଅଧିକ ଲାଭ ପାଇପାରିବେ। ଅଧିକ କରଦାତାଙ୍କୁ ନୂତନ କର ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରିବା ଏହାର ଉଦ୍ଦେଶ୍ୟ ରହିଛି। ବଜେଟ ୨୦୨୫ରେ ମଧ୍ୟବିତ୍ତ ଲୋକଙ୍କୁ ରିଲିଫ ଦେବା ସହ ଏହା ଭାରତୀୟ ଅର୍ଥନୀତିରେ ପ୍ରେରଣା ଯୋଗାଇବ। ଟିକସ ଛାଡ଼ ଏବଂ ସ୍ଲାବ୍ରେ ପରିବର୍ତ୍ତନ ହେତୁ ଲୋକଙ୍କ ହାତରେ ଅଧିକ ଟଙ୍କା ରହିବ, ଯାହା ସେମାନେ ଖର୍ଚ୍ଚ କରିପାରିବେ। ଏହା ଅର୍ଥନୀତିରେ ଦ୍ରୁତ ଅଭିବୃଦ୍ଧି ଘଟାଇବ ବୋଲି ଆଶା କରାଯାଉଛି।


