କେନାଲରେ ପାଣି ନାହିଁ, ଶୁଖିଲା ପଡ଼ିଛି ଜମି

ପଦ୍ମପୁର,୧୦।୧୧(ପ୍ରଦୀପ୍ତ ଦାଶ): ଆଉ ଦିନ କେଇଟା ପରେ ଧାନ ଅମଳ ହେବ। ଏଭଳି ସମୟରେ ଫସଲକୁ ପାଣି ଆବଶ୍ୟକତା ଥିବାବେଳେ କେନାଲରେ ପାଣି ଆସୁନାହିଁ। ଫଳରେ ଚାଷଜମି ଫାଟି ଆଁ କରିବା ସହ ଧାନ ଗଛ ଶୁଖିବା ଅବସ୍ଥାକୁ ଆସିଲାଣି। କିଛି ସ୍ଥାନରେ ପମ୍ପ ସାହାଯ୍ୟରେ ପାଣି ମଢାଇ ଫସଲ ବଞ୍ଚାଇବା ପାଇଁ ଚେଷ୍ଟା ଚାଲିଛି ତ କିଛି ଜାଗାରେ ଚାଷୀ ଆଶା ଛାଡି ଦେଲେଣି। ଏହାସାଙ୍ଗକୁ ରୋଗପୋକ ଦାଉ ସାଧୁଛି। ମଇଷା, ଚକଡା, ଗଣ୍ଠି ପୋକ ଲାଗି ଏକର ଏକର ଚାଷଜମି ପ୍ରଭାବିତ ହୋଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ପଦ୍ମପୁର ବ୍ଲକ ଅଧୀନ ଦହଗାଁ, ଦହିତା, ଜମରତଲା ଏବଂ ବୁଡେନ ଆଦି ଅଞ୍ଚଳରେ। ଏହି ପଞ୍ଚାୟତର ଅଧିକାଂଶ ଗାଁରେ ଏହି ସମାନ ଅବସ୍ଥା ନଜରକୁ ଆସିଛି ବୋଲି ଚାଷୀ ବୁଲୁ ମଲ୍ଲିକ, ଜୟରାମ ସାହୁ, ଜୟନ୍ତ ସାହୁ, ପ୍ରହଲ୍ଲାଦ ସାହୁ ପ୍ରମୁଖ ପ୍ରକାଶ କରିଛନ୍ତି। ଦହଗାଁ  ଓ ଦହିତା ପଞ୍ଚାୟତର ଚାଷଜମିକୁ ଜଳସେଚନ ସୁବିଧା ପାଇଁ ବନ୍ଦେଶ୍ୱରୀ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଅଛି। ମାତ୍ର ଦୀର୍ଘଦିନ ଧରି ବର୍ଷା ନ ହେବାରୁ ଡ୍ୟାମ୍‌ରେ ଆବଶ୍ୟକ ପାଣି ନାହିଁ। ଫଳରେ କେନାଲ ଶୁଖିଲା ପଡିଛି। ଫଳରେ ଚାଷ ନଷ୍ଟ ହେବା ଅବସ୍ଥାକୁ ଆସିଲାଣି। ଧାର କରଜ କରି ଚାଷ କରିଥିବା ଚାଷୀ କେମିତି ଋଣ ପରିଶୋଧ କରିବ ସେହି ଚିନ୍ତାରେ ରହିଛନ୍ତି। ସରକାର କ୍ଷୟକ୍ଷତି ଆକଳନ କରି ସରକାରୀ ସହାୟତା ଯୋଗାଇ ଦେବାକୁ ଚାଷୀମାନେ ଦାବି କରିଛନ୍ତି ।