ରାସ୍ତା ନାହିଁ ତ ଭୋଟ ନାହିଁ

କେନ୍ଦୁଝର,୨୦।୩(ଦୀପକ ମିଶ୍ର/ ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦ୍ର ଓ ରାଜ୍ୟ ସରକାର ରାସ୍ତା ଘାଟ ଉନ୍ନତି କରିଥିବା କଥା ପୋଷ୍ଟର,ବ୍ୟାନର ଦ୍ୱାରା ଡିଣ୍ଡିମ ପିଟୁ ଥିବାବେଳେ ବାସ୍ତବପକ୍ଷେ ଏମିତି ବହୁତ ଗ୍ରାମ ଅଛି ଯେଉଁଠିକି ଆଜି ପର୍ଯ୍ୟନ୍ତ ଭଲ ରାସ୍ତାଟିଏ ନାହିଁ। ଏଭଳି ସମସ୍ୟା ଦେଖିବାକୁ ମିଳିଛି କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ନୂଆଗଁା ଗ୍ରାମ ପଞ୍ଚାୟତର ଗୁଆଲଡିହ ଗ୍ରାମରେ। ଭାଟୁଣିଆ ଗ୍ରାମଠାରୁ ଗୁଆଲଡିହ ରେଳ ଷ୍ଟେଶନ ପର୍ଯ୍ୟନ୍ତ ରାସ୍ତା ଭାଙ୍ଗିରୁଜି ମରଣଯନ୍ତା ପାଲଟିଛି। ମଝିରେ ମଝିରେ ବିରାଟକାୟ ଗର୍ତ୍ତ ସୃଷ୍ଟି ହୋଇଥିବାବେଳେ ରାସ୍ତା ସାରା ବଡ଼ ବଡ଼ ପଥର ବିଛାଡ଼ି ହୋଇପଡ଼ିଛି। ଉକ୍ତ ଖାଲରେ ପଡ଼ି ବାଟୋଇ ,ମୋଟର ସାଇକେଲ,ସାଇକେଲ ଆରୋହୀମାନେ ଖଣ୍ଡିଆ ଖାବରା ହେବା ସହ ମୃତ୍ୟୁମୁଖରେ ମଧ୍ୟ ପଡ଼ୁଛନ୍ତି। ପଦ୍ମପୁର,ଗୋବର୍ଦ୍ଧନ,ସେଣ୍ଡକାପ, ରୁକୁଣାଦେଇପୁର, କଣାପଶି, ଜଡିପଦା ବଣୁଆ, କୁସୁମୂଳା, କାଉଁରୀକଳା, ବାଜୁଣିଟାଙ୍ଗର ଆଦି ଗ୍ରାମର ଲୋକେ ଗୁଆଲଡିହ ରେଳ ଷ୍ଟେଶନକୁ ଏହି ରାସ୍ତା ଦେଇ ଯାତାୟାତ କରିଥାନ୍ତି। ରାସ୍ତା ଖରାପ ଯୋଗୁ ରେଳ ଯାତ୍ରୀମାନେ ଠିକ୍‌ ସମୟରେ ଷ୍ଟେଶନରେ ପହଞ୍ଚତ୍ ପାରୁ ନ ଥିବାବେଳେ ରାସ୍ତା ଦୁରବସ୍ଥା ପାଇଁ ବହୁ ହଇରାଣ ହରକତ ହେଉଛନ୍ତି। ରେଳ ବିଭାଗ,ବ୍ଲକ କିମ୍ବା ଜିଲା ପ୍ରଶାସନ କାହାର ଏହି ରାସ୍ତା ପ୍ରତି ନଜର ନ ପଡ଼ିବା ଦୁର୍ଭାଗ୍ୟର ବିଷୟ। ରାସ୍ତା ନିର୍ମାଣ ନ ହେଲେ ଏହି ଗ୍ରାମର ଲୋକେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି। ରାସ୍ତାର ଦୁରବସ୍ଥା ଖବର ପାଇ ଯୁବ ଓ ଶ୍ରମ ବିକାଶ ମଞ୍ଚ କେନ୍ଦୁଝରଗଡ଼ ଉପସଭାପତି ଜୟକୃଷ୍ଣ ନାଏକ ଉକ୍ତ ଗ୍ରାମକୁ ଯାଇଥିଲେ। ଯେହେତୁ ଏହି ରାସ୍ତା ଦେଇ ରେଳ ଷ୍ଟେଶନ, ନୂଆଗଁା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟକୁ ଅଞ୍ଚଳର ଲୋକେ ଯାତାୟାତ କରିବା ସହିତ ଏ ରାସ୍ତାଟି ଗୁଆଲଡିହ ଗ୍ରାମର ଜୀବନ ରେଖା ସଦୃଶ। ତେଣୁ ତୁରନ୍ତ ଏହି ରାସ୍ତାଟି ପିଚୁ କିମ୍ବା କଂକ୍ରିଟ କରିବାକୁ ଗଣମାଧ୍ୟମ ଓ ସୋସିଆଲ ମିଡିଆ ଜରିଆରେ ସେ ଜିଲା ପ୍ରଶାସନକୁ ନିବେଦନ କରିଛନ୍ତି। ମାନସ ମାଝି, ସଞ୍ଜିତ ମାଝି,ମାନୁ ମୁଣ୍ଡା, ଦୂର୍ଯ୍ୟ ପାତ୍ର, ଭାସ୍କର ମାଝି, ପରେମଶ୍ବର ମାଝି, ପ୍ରଫୁଲ୍ଲ ନାୟକ, ଲମ୍ବୋଦର ମାଝି ପ୍ରମୁଖ ରାସ୍ତା ନାହିଁ ତ ଭୋଟ ନାହିଁ ବୋଲି କହିଛନ୍ତି।