ନୂଆଦିଲ୍ଲୀ,୨୫।୧୧: ମଙ୍ଗଳବାର ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଜଣେ ଖ୍ରୀଷ୍ଟିଆନ ସେନା ଅଧିକାରୀଙ୍କ ଦ୍ୱାରା ଦାୟର ଏକ ଆବେଦନର ଶୁଣାଣି କରିଥିଲେ। ଗୁରୁଦ୍ୱାରରେ ପ୍ରାର୍ଥନାରେ ଯୋଗ ଦେବାକୁ ମନା କରିବାରୁ ଅଧିକାରୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିଲା। ଆବେଦନକୁ ଖାରଜ କରି ସୁପ୍ରିମକୋର୍ଟ ଘୋଷଣା କରିଥିଲେ ଯେ ସେ ସାମରିକ ସେବା ପାଇଁ ଅଯୋଗ୍ୟ।
ନୂଆ ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ସାମୁଏଲ କମଲେଶଙ୍କୁ ବରଖାସ୍ତ କରି କହିଥିଲେ, ‘ସେ କ’ଣ ବାର୍ତ୍ତା ପଠାଉଛନ୍ତି? ଜଣେ ସେନା ଅଧିକାରୀଙ୍କ ଦ୍ୱାରା ଘୋର ଅନୁଶାସନହୀନତା। ତାଙ୍କୁ ବରଖାସ୍ତ କରାଯିବା ଉଚିତ ଥିଲା। କ’ଣ ଏପରି ଝଗଡ଼ାକାରୀ ଲୋକମାନେ ସେନାରେ ରହିବା ଯୋଗ୍ୟ?’
ସାମୁଏଲ କମଲେଶନ ତୃତୀୟ କାଭାଲରୀ ରେଜିମେଣ୍ଟରେ ଜଣେ ଲେଫ୍ଟନାଣ୍ଟ ଥିଲେ। କିନ୍ତୁ, ସେ ତାଙ୍କ ଉପରିସ୍ଥ ଅଧିକାରୀଙ୍କ ଦ୍ୱାରା ପୂଜା ପାଇଁ ଗୁରୁଦ୍ୱାର ଯିବାର ନିର୍ଦ୍ଦେଶକୁ ପ୍ରତ୍ୟାଖ୍ୟାନ କରିଥିଲେ, ତାଙ୍କ ଏକେଶ୍ୱରବାଦୀ ଖ୍ରୀଷ୍ଟିଆନ ବିଶ୍ୱାସକୁ ଅନୁପଯୁକ୍ତ ବୋଲି ଦର୍ଶାଇ। ପରବର୍ତ୍ତୀ ସମୟରେ ତାଙ୍କୁ ସାମରିକ ଶୃଙ୍ଖଳା ଉଲ୍ଲଂଘନ ପାଇଁ ବରଖାସ୍ତ କରାଯାଇଥିଲା।
ମେ ମାସରେ, ସେ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ, କିନ୍ତୁ କୋର୍ଟ ସେନାର ନିଷ୍ପତ୍ତିକୁ ବଜାୟ ରଖିଥିଲେ। ବର୍ତ୍ତମାନ, ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି। ସୁପ୍ରିମକୋର୍ଟ କହିଛନ୍ତି, ‘ସେ ଜଣେ ଚତୁର ଅଧିକାରୀ ହୋଇପାରନ୍ତି, କିନ୍ତୁ ସେ ଭାରତୀୟ ସେନା ପାଇଁ ଜଣେ ଅଯୋଗ୍ୟ। ବର୍ତ୍ତମାନ ଆମର ସେନା ଯେଉଁ ଦାୟିତ୍ୱର ସମ୍ମୁଖୀନ ହେଉଛନ୍ତି ତାହା ଦେଖି… ଆମେ ତାହା ଦେଖିବାକୁ ଚାହୁଁନାହୁଁ।’
ସାମୁଏଲ କମଲେସନଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଗୋପାଳ ଶଙ୍କରନାରାୟଣନ ଯୁକ୍ତି ଦେଇଥିଲେ। ସେ କହିଥିଲେ ଯେ କମଲେସନ ହୋଲି ଏବଂ ଦୀପାବଳି ଭଳି ପର୍ବରେ ଅଂଶଗ୍ରହଣ କରି ଅନ୍ୟ ଧର୍ମ ପ୍ରତି ସମ୍ମାନ ଦେଖାଇଥିଲେ, ତଥାପି ଏହି ଭୁଲ ପାଇଁ ତାଙ୍କୁ ବହିଷ୍କାର କରାଯାଇଥିଲା। ଶଙ୍କରନାରାୟଣନ ନିଜ ଧର୍ମ ପାଳନ କରିବାର ସାମ୍ବିଧାନିକ ଅଧିକାରକୁ ଉଲ୍ଲେଖ କରିଥିଲେ, କିନ୍ତୁ ଖଣ୍ଡପୀଠ ମତଭେଦ କରିଥିଲେ।
Dharitri – The Largest & Most Trusted Odia Daily

