ସହରରେ ନାହିଁ ବଜାର ବ୍ୟବସ୍ଥା : କାଦୁଅରେ ବସି ପରିବା ବିକୁଛନ୍ତି ଚାଷୀ

ଯୋଡ଼ା,୨୪।୯(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ପୌରପାଳିକାରେ ବଜାର ବ୍ୟବସ୍ଥା ନାହିଁ। ଫ୍ଲାଏଓଭର କାର୍ଯ୍ୟ ମନ୍ଥରତା ଓ ସର୍ଭିସ୍‌ ରୋଡ୍‌ ନିର୍ମାଣରେ ବିଳମ୍ବ ଯୋଗୁ ରାସ୍ତା ତମାମ କାଦୁଅ ପଙ୍କରେ ଭର୍ତ୍ତି ହୋଇଛି। ବଜାର ମଧ୍ୟରେ ସ୍ଥାନ ମିଳି ନ ଥିବାରୁ ଚାଷୀମାନେ ବାଧ୍ୟ ହୋଇ ବସ୍‌ଷ୍ଟାଣ୍ଡ ନିକଟସ୍ଥ ବିଜୁ ପଟ୍ଟନାୟକ ଜାତୀୟ ରାଜପଥରେ ନିର୍ମାଣାଧୀନ ଫ୍ଲାଏ ଓଭର ତଳେ କାଦୁଅ ରାସ୍ତାରେ ବସି ନିଜ ଉତ୍ପାଦିତ ପରିବା ବିକ୍ରି କରୁଛନ୍ତି।
ପ୍ରତିଦିନ ବିଭିନ୍ନ ଅଞ୍ଚଳର ଚାଷୀ ତଥା ବ୍ୟବସାୟୀମାନେ ଋତୁ ଅନୁସାରେ ବାଡ଼ିରୁ ଆଣି ବିକ୍ରି କରିଥାନ୍ତି। ବିଜୁ କୃଷକ ବଜାର ନାମରେ ରାଜ୍ୟବ୍ୟାପୀ ବ୍ୟବସାୟସ୍ଥଳ ସୃଷ୍ଟି ହୋଇଥିବା ବେଳେ ଯୋଡ଼ା ପୌରାଞ୍ଚଳରେ ଏଯାବତ କାର୍ଯ୍ୟକାରୀ ହୋଇପାରିନାହିଁ। ଏପରିକି ପରିବା ବିକ୍ରେତାଙ୍କୁ ବଜାର ମଧ୍ୟରେ କୌଣସି ସ୍ଥାନ ମିଳିନାହିଁ। ତଥାପି ସେମାନଙ୍କଠାରୁ ନିତିଦିନ ମାସୁଲ ଆଦାୟ କରାଯାଉଛି। ନାରଦପୁରରୁ ଆସିଥିବା ଚାଷୀ ଆରତୀ ମହାନ୍ତ କହିଛନ୍ତି, ପରିବା ବିକ୍ରୟ ନିମନ୍ତେ ପୌରପାଳିକା ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇନାହିଁ। ଫଳରେ ବର୍ଷାଦିନେ କାଦୁଅ, ଆବର୍ଜନା ସହ ନିର୍ମାଣାଧୀନ ରାସ୍ତାକଡ଼ରେ ବସି ପରିବା ବିକ୍ରି କରୁଛନ୍ତି। ଏଭଳି ପରିବେଶ ଦେଖି ଗ୍ରାହକ ଆଖିଫେରାଇ ନେଉଥିବା ସ୍ଥାନୀୟ ବାସିନ୍ଦା ବିଦେଶୀ ଗିରି କହିଛନ୍ତି। ଏ ବାବଦରେ ଯୋଡ଼ା ପୌର ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ହେଁ କୌଣସି ବ୍ୟବସ୍ଥା ହୋଇପାରିନାହିଁ। ପୌରପାଳିକା ଦୃଷ୍ଟିଦେଇ ସେମାନଙ୍କୁ ସବୁଦିନ ପାଇଁ ସ୍ଥାୟୀଭାବେ ଏକ ମାର୍କେଟ କମ୍ପ୍ଲେକ୍ସ ଯୋଗାଇଦେବାକୁ ପରିବା ବ୍ୟବସାୟୀ ଦାବି କରିଛନ୍ତି।