ନିଲାମ ହେଉନି, ଖତ ଖାଉଛି ସରକାରୀ ଗାଡ଼ି

ଭବାନୀପାଟଣା,୨୫।୧୧(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଖତ ଖାଉଛି ସରକାରୀ ଗାଡି। ଦୀର୍ଘ ବର୍ଷ ହେବ ରକ୍ଷଣାବେକ୍ଷଣ ଅଭାବରୁ ଗାଡିଗୁଡିକ ଏବେ ପରିତ୍ୟକ୍ତ ଭାବେ ସେଠାରେ ପଡିରହିଛି। ସ୍ଥାନୀୟ ସ୍ବାସ୍ଥ୍ୟ ବିଭାଗର ସରକାରୀ ଅଧିକାରୀଙ୍କ କ୍ଷେତ୍ର ବୁଲିବା ପାଇଁ ଏହି ଗାଡି ସବୁ ଆସିଥିଲା। ବିଶେଷ କରି ମ୍ୟାଲେରିଆ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧିକାରୀଙ୍କ ପାଇଁ ଏହି ଗାଡି ସବୁ ବ୍ୟବହୃତ ହେଉଥିବା ଲାଗିଥିବା ସୂଚନା ଫଳକରୁ ଜଣାପଡୁଛି। ସେହିପରି ଜିଲା ମୁଖ୍ୟ ଚିକିତ୍ସାଳୟର ଶବ ବ୍ୟବଚ୍ଛେଦ ଗୃହ ପରିସରରେ ମଧ୍ୟ ଏଭଳି ଅନେକ ଗାଡି ପଡିଥିବା ଦେଖିବାକୁ ମିଳୁଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ଗାଡିଗୁଡିକୁ ନିଲାମ କରାଯାଉ ନ ଥିବାରୁ ଏହି ଗାଡିଗୁଡିକ ଏବେ ମାଟିରେ ମିଶିବାକୁ ବସିଲାଣି। ଏ ନେଇ ଭାରପ୍ରାପ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ରଞ୍ଜନ ମିତ୍ର ପଚାରିବାରୁ ସେଗୁଡିକୁ ଆମେ କିଛି କରିପାରିବୁ ନାହଁି। ତାହା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ (ଏଚ୍‌ଏଣ୍ଡ ଏଫ୍‌ଡବ୍ଲୁ) ନିର୍ଦ୍ଦେଶକ ହାତରେ ରହିଛି। ତାଙ୍କୁ ଆମେ ପତ୍ର ଲେଖିଛୁ, ଗାଡିଗୁଡିକ ଖରାପ ହେଲାଣି ତାହାକୁ ନିଲାମ କରିବା ପାଇଁ ବୋଲି କହିଥିଲେ।