ପରଜଙ୍ଗ, ୧୩।୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗର ବିଭିନ୍ନ ଅଞ୍ଚଳରେ ମଙ୍ଗଳବାର ଭୋର୍ ସମୟରେ ପ୍ରାୟ ୮୦ରୁ ଉର୍ଦ୍ଧ୍ୱ ସ୍ଥାନରେ ପୋଲିସ ଏବଂ ଅବକାରୀ ଟିମ, ପ୍ରଶାସନର ମିଳିତ ଚଢାଉ ହୋଇଛି। ଚଢାଉରେ ୨୦୦୦ ଲିଟର ଦେଶୀ ମଦ ସହ ୩୦ ହଜାର ଲିଟରରୁ ଉର୍ଦ୍ଧ୍ୱ ପୋଚକୁ ନଷ୍ଟ କରାଯାଇଛି। ଜିଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ନିର୍ଦ୍ଦେଶକ୍ରମେ ପରଜଙ୍ଗ ଥାନା ଅନ୍ତର୍ଗତ କଲଦା, କଙ୍କଡାସୋଡ଼ା, ଆମ୍ବପଳାସ ଓ ସେବାଗ୍ରାମରେ ଚଢାଉ କରାଯାଇଛି। ଏହି ବଡ଼ ଧରଣର ଚଢାଉରେ ମାଜିଷ୍ଟ୍ରେଟ ଭାବେ ପରଜଙ୍ଗ ଅତିରକ୍ତ ତହସିଲଦାର ମନୋରଞ୍ଜନ ସାହୁଙ୍କ ସମେତ କାମାକ୍ଷାନଗର ଓ ପରଜଙ୍ଗ ଅବକାରୀ ଟିମ,ପୋଲିସ ଫୋର୍ସ ସାମିଲ ହୋଇଛନ୍ତି। ତେବେ ଜଙ୍ଗଲ ଭିତରେ ମଦର ଭୂସ୍ବର୍ଗକୁ ଦେଖି ଅଧିକାରୀମାନେ ପ୍ରଥମେ ତାଜୁବ ହୋଇଯାଇଥିଲେ। ତେବେ ମିଳିତ ଚଢାଉ ଦେଖି ମଦ ମାଫିଆମାନେ ଫେରାର୍ ମାରିଥିଲେ। ଆମ୍ବପଳାସ ସେବାଗ୍ରାମ ଗାଁ ପାଖ ଜଙ୍ଗଲରେ ମଦ ତିଆରି ହାଟକୁ ସମ୍ପୂର୍ଣ୍ଣ ନଷ୍ଟ କରିଛି ମିଳିତ ଟିମ। ତେବେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ଯେ, ମଦ ମାଫିଆମାନେ ସଂରକ୍ଷିତ ଜଙ୍ଗଲର ଧଜିଆ ଉଡାଇ ଦେଇଛନ୍ତି। ଶହ ଶହ ଗଛକୁ କାଟି ସେଠାରେ ଦେଶୀ ମଦର ଭୂସ୍ବର୍ଗ ତିଆରି କରିଛନ୍ତି। ଏ ନେଇ ବନ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।


