Categories: ବାଣିଜ୍ୟ

ବଜାରରେ ନାହିଁ ନୂଆ ନିଯୁକ୍ତି

ନୂଆଦିଲ୍ଲୀ, ୯।୯ : ମହାମାରୀ ବର୍ତ୍ତମାନ ଘରୋଇ ବଜାରକୁ କ୍ଷତିଗ୍ରସ୍ତ କରି ରଖିଛି। ସରକାର ଲକ୍‌ଡାଉନ କଟକଣା ଧୀରେ ଧୀରେ କୋହଳ କରୁଥିଲେ ମଧ୍ୟ ସବୁ କିଛି ସ୍ଥିତାବସ୍ଥାକୁ ଫେରିପାରିନାହିଁ। କମ୍ପାନୀଗୁଡିକ ମଧ୍ୟ ଚାପଗ୍ରସ୍ତ ସ୍ଥିତିରେ ଅଛନ୍ତି। ଏଭଳି ସମୟରେ ନୂଆ ନିଯୁକ୍ତି ସପକ୍ଷରେ କମ୍ପାନୀଗୁଡିକ ନାହାନ୍ତି। ବଜାରରେ ନୂଆ ନିଯୁକ୍ତି ନ ଥିବା ଜଣାପଡିଛି। ଅପରପକ୍ଷରେ ହାୟାରିଂ ଆଉଟଲୁକ(ନିଯୁକ୍ତି ଆଶା) ୧୫ ବର୍ଷର ସବୁଠାରୁ ଖରାପ ସ୍ଥିତିକୁ ଚାଲିଯାଇଥିବା ମ୍ୟାନ ପାଓ୍ବାର ଗ୍ରୁପ୍‌ ଏମ୍ପ୍ଲୟମେଣ୍ଟ ଆଉଟଲୁକ ସର୍ଭେ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି।
ରିପୋର୍ଟରେ କୁହାଯାଇଛି ଯେ, ଆଗାମୀ ୩ ମାସ ମଧ୍ୟରେ କେବଳ ୩% କମ୍ପାନୀ ନିଯୁକ୍ତି ଦେବା ଲାଗି ଯୋଜନା ରଖିଛନ୍ତି। ଆଗାମୀ ଦିନରେ ନିଯୁକ୍ତିର ସ୍ତର କିଭଳି ରହିବ ଏଥିରୁ ଅନୁମାନ ଲଗାଇ ହେବ। ବଜାର ଚଳିତ ଆର୍ଥତ୍କ ବର୍ଷରେ କ୍ଷତିଗ୍ରସ୍ତ ହୋଇ ରହିବା ନେଇ ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି। କାରବାର ଉନ୍ନତ ହେଉ ନ ଥିବାରୁ କମ୍ପାନୀଗୁଡିକ ସେମାନଙ୍କ ଖର୍ଚ୍ଚ କାଟ କରୁଛନ୍ତି। କରୋନା ମହାମାରୀ ସମୟରେ କମ୍ପାନୀଗୁଡିକରେ ବୃହତ୍‌ ସଂଖ୍ୟାରେ ଛଟେଇ ସାମ୍ନାକୁ ଆସିଥିଲା। ଏଭଳି ସ୍ଥିତିରେ ନୂଆ ନିଯୁକ୍ତି ନେଇ କମ୍ପାନୀ ଆଗ୍ରହ ଦେଖାଉ ନାହାନ୍ତି। ଦେଶର ପ୍ରମୁଖ ୮୦୦ କମ୍ପାନୀଙ୍କୁ ନେଇ ହୋଇଥିବା ନିଯୁକ୍ତି ସର୍ଭେରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ସର୍ଭେ ମୁତାବକ, ଚଳିତ ଆର୍ଥତ୍କ ବର୍ଷର ଶେଷ ତ୍ରୈମାସରେ ମଧ୍ୟ କମ୍ପାନୀଗୁଡିକ ନୂଆ ନିଯୁକ୍ତି ଦେଲା ବେଳେ ବିଭିନ୍ନ ପ୍ରସଙ୍ଗ ଉପରେ ବିଚାର କରିପାରନ୍ତି। ମାତ୍ର ୭% ନିଯୁକ୍ତିଦାତା ବେତନ ବଢାଇବା ନେଇ ଯୋଜନା ରଖିଥିବା ବେଳେ ୩% ବେତନରେ ହ୍ରାସ ଏବଂ ବେତନ କ୍ଷେତ୍ରରେ କୌଣସି ପରିବର୍ତ୍ତନ ଆଣିବାର ଯୋଜନା ନାହିଁ ବୋଲି ୫୪% କହିଛନ୍ତି। ସରକାର ଗ୍ରହଣ କରୁଥିବା ପଦକ୍ଷେପ ବଜାର ଉପରେ ଭଲ ପ୍ରଭାବ ପକାଇଲେ ଏହା ନିଯୁକ୍ତିକୁ ଉତ୍ସାହିତ କରିବ ବୋଲି ରିପୋର୍ଟରେ ପ୍ରକାଶ ପାଇଛି। ଆଗାମୀ ୯ ମାସ ସୁଦ୍ଧା ନୂଆ ନିଯୁକ୍ତି ସମ୍ପର୍କରେ ବିଚାର କରାଯାଇପାରେ ବୋଲି ୪୪% ନିଯୁକ୍ତିଦାତା ମତ ଦେଇଛନ୍ତି। ସେହିଭଳି ନିଯୁକ୍ତିରେ ସ୍ଥିତାବସ୍ଥା ନେଇ ଠିକ୍‌ ଭାବେ କିଛି କହି ହେବ ନାହିଁ ବୋଲି ୪୨% ନିଯୁକ୍ତିଦାତା ମତ ଦେଇଛନ୍ତି। ସେହିଭଳି ବିଶ୍ୱ ବଜାର କଥା ବିଚାରକୁ ନେଲେ ପ୍ରମୁଖ ୪୩ ଦେଶ ମଧ୍ୟରୁ ୨୨ ଦେଶର ନିଯୁକ୍ତିଦାତା ଡିସେମ୍ବର ଶେଷ ସୁଦ୍ଧା ବେତନ ବଢାଇବା ନେଇ ଚିନ୍ତା କରୁଛନ୍ତି। ସେହିଭଳି ୧୬ଟି ଦେଶରେ ନିଯୁକ୍ତିଦାତା ବେତନରେ କୌଣସି ବୃଦ୍ଧି ନ କରିବା ନେଇ ଯୋଜନା ରଖିଛନ୍ତି। ତାଇଓ୍ବାନ, ଆମେରିକା, ତୁର୍କୀ,ଜାପାନ, ଗ୍ରୀସ୍‌ ଭଳି ଦେଶଗୁଡିକରେ ଶ୍ରମ ବଜାର ଦୃଢ ରହିବା ନେଇ ଆଶା ପ୍ରକଟ କରାଯାଇଛି। ସେହିଭଳି ପାନାମା, କୋଷ୍ଟାରିକା, ଦକ୍ଷିଣ ଆଫ୍ରିକା, କଲମ୍ବିଆ ଏବଂ ଇଂଲଣ୍ଡ ନିଯୁକ୍ତି ବଜାର ମାନ୍ଦା ରହିବ ବୋଲି ରିପୋର୍ଟରେ ଆକଳନ କରାଯାଇଛି।

Share