୮୦ ଷ୍ଟଲରେ ହେଉଛି କିଣାବିକା

କେନ୍ଦୁଝର,୧୨।୨(ସ୍ବ.ପ୍ର.): କେନ୍ଦୁଝର ଜିଲା କାଳୀପଡ଼ିଆରେ ଦ୍ୱିତୀୟ ଓଡ଼ିଶା ଗ୍ରାମ୍ୟ ମେଳା ଉଦ୍‌ଘାଟିତ ହୋଇଯାଇଛି। ମେଳାର ଆବାହକ ସଞ୍ଜୟ ସାହୁଙ୍କ ସଭାପତିତ୍ୱରେ କେନ୍ଦୁଝରଗଡ଼ ପୌରପାଳିକା ଅଧ୍ୟକ୍ଷା ନିକୁ ସାହୁ ଉଦ୍‌ଘାଟନ କରିଥିଲେ। ସମ୍ମାନିତ ଅତିଥିଭାବେ ଧରଣୀଧର ସ୍ବୟଂଶାସିତ ମହାବିଦ୍ୟାଳୟର ଅଧ୍ୟାପକ ସୁଧା ଦାସ ଅତିଥିଭାବେ ଯୋଗ ଦେଇ ମେଳା ଜିଲା ଏବଂ ରାଜ୍ୟର କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାର ମହାମିଳନ କରିପାରିବ ବୋଲି ମତବ୍ୟକ୍ତ କରିଥିଲେ। ମେଳା ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ। ମେଳାରେ ହସ୍ତତନ୍ତ୍ର, ହସ୍ତଶିଳ୍ପ, ଘରୋଇ ଉପକରଣ, ବୈଦ୍ୟୁତିକ ଉପକରଣ ତଥା ବିଭିନ୍ନ ଅଞ୍ଚଳରୁ ଆସିଥିବା ଆଞ୍ଚଳିକ ପୋଷାକ, ଜୋତା, ପରିଚ୍ଛଦ ଆଦି ୮୦ରୁ ଊର୍ଦ୍ଧ୍ୱ ଷ୍ଟଲ ପ୍ରଦର୍ଶିତ ହେଉଛି। କିଣାକିଣି ପାଇଁ ଲୋକଙ୍କ ଭିଡ଼ ଜମୁଛି। ସାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ମେଳାରେ ଜିଲାର ଲୋକକଳା ଓ ଲୋକନୃତ୍ୟ ଦଳ, କଳାକାର, ଶିଳ୍ପୀମାନଙ୍କର ନାଚଗୀତରେ କେନ୍ଦୁଝରରେ ସଂସ୍କୃତିର ଅନନ୍ୟ ମାହୋଲ ସୃଷ୍ଟି ହେବା ସହିତ ଗ୍ରାମୀଣ କାରିଗର ଓ ଶିଳ୍ପୀମାନଙ୍କର ଉତ୍ପାଦିତ ଦ୍ରବ୍ୟ ସାମଗ୍ରୀରେ କାଳୀପଡ଼ିଆ ଝଲସୁଛି।