ଆସିଛନ୍ତି ୫,୨୨୮ ଅତିଥି ପକ୍ଷୀ

ଢେଙ୍କାନାଳ ଅଫିସ, ୧୬।୧: ଢେଙ୍କାନାଳରେ ପକ୍ଷୀଗଣନା ଶେଷ ହୋଇଛି। ୨୦୨୨ରେ ଜିଲାକୁ ଦେଶବିଦେଶରୁ ୫,୨୨୮ ପ୍ରବାସୀ ପକ୍ଷୀଙ୍କ ସମାଗମ ହୋଇଛି। ପରଜଙ୍ଗ ବ୍ଲକର ଦଦରାଘାଟି ଜଳଭଣ୍ଡାର, ବ୍ରାହ୍ମଣୀ ନଦୀକୂଳ, ସଦର ବ୍ଲକ ବଡ଼ ନାଗେନା ଅଞ୍ଚଳକୁ ଅଧିକ ସଂଖ୍ୟାରେ ବ୍ରାହ୍ମିନୀ ଡକ୍‌ଙ୍କ ଆଗମନ ହୋଇଥିବାବେଳେ ସେମାନଙ୍କ କଳରବରେ ମୁଖରିତ ହୋଇଉଠିଛି ସମ୍ପୃକ୍ତ ଅଞ୍ଚଳ।
ପ୍ରବାସୀ ପକ୍ଷୀଙ୍କ ମଧ୍ୟରେ ପାଣି ଡୁବୁକି ପ୍ରଜାତିର ୨୨, ପାଣିକୁଆ ପ୍ରଜାତିର ୧,୦୯୬, ବଗ ପ୍ରଜାତିର ୧,୨୦୪, ଗେଣ୍ଡାଳିଆ ପ୍ରଜାତିର ୧୭୫, ବତକ ଏବଂ ପାତିହଂସ ପ୍ରଜାତିର ୭୪୦, ଟେଣ୍ଟେଇ ପ୍ରଜାତିର ୧୧, ଗଲ୍‌ ଏବଂ ସ୍କିମର ପ୍ରଜାତିର ୧,୯୮୦ ଅଛନ୍ତି। ଉତ୍ତର ଆଫ୍ରିକା, ନିଉଜିଲାଣ୍ଡ, ୟୁରୋପ ମହାଦେଶର ବିଭିନ୍ନ ସ୍ଥାନରୁ ବହୁ ସଂଖ୍ୟାରେ ବ୍ରାହ୍ମିନୀ ଡକ୍‌ଙ୍କ ଆଗମନ ହୋଇଛି। ବ୍ରାହ୍ମଣୀ ନଦୀକୂଳରେ ଶିକାରୀଙ୍କ ପ୍ରାଦୁର୍ଭାବ ବଢୁଥିବାରୁ ପକ୍ଷୀଙ୍କ ସୁରକ୍ଷା ନେଇ ବନ ବିଭାଗ ପକ୍ଷରୁ ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।
ଏ ସଂକ୍ରାନ୍ତରେ ଜିଲା ବନଖଣ୍ଡ ଅଧିକାରୀ ଡା. ପ୍ରକାଶଚାନ୍ଦ ଗୋଗିନେନି କୁହନ୍ତି, ଚଳିତବର୍ଷ ଆସିଥିବା ବିହଙ୍ଗଙ୍କ ମଧ୍ୟରେ କେବଳ ବ୍ରାହ୍ମିନୀ ଡକ୍‌ ବିଦେଶୀ। ଅନ୍ୟ ପ୍ରଜାତିର ପକ୍ଷୀ ଭାରତୀୟ। ସେମାନେ ବିଭିନ୍ନ ରାଜ୍ୟରୁ ଆସିଛନ୍ତି। ଦଦରାଘାଟି ଜଳ ଭଣ୍ଡାରରେ ଗତବର୍ଷ ତୁଳନାରେ ଚଳିତବର୍ଷ ଅଧିକ ସଂଖ୍ୟାରେ ବ୍ରାହ୍ମିନୀ ଡକ୍‌ଙ୍କ ସମାଗମ ହୋଇଛି। ପକ୍ଷୀ ଶିକାର ରୋକିବା ଲାଗି ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ପରଜଙ୍ଗର ଦଦରାଘାଟି, କଙ୍କଡ଼ାହାଡ଼ର ଦଣ୍ଡାଧର, ହିନ୍ଦୋଳ ବ୍ଲକର ସାପୁଆ ଜଳଭଣ୍ଡାର ସମେତ ପ୍ରମୁଖ ଜଳାଶୟ, ଆର୍ଦ୍ରଭୂମି ଅଞ୍ଚଳରେ ପକ୍ଷୀଗଣନା କରାଯାଇଥିଲା। ଏଥିରେ ପ୍ରଶିକ୍ଷିତ ବନ କର୍ମଚାରୀ ନିୟୋଜିତ ହୋଇଥିଲେ।