Categories: ଭଦ୍ରକ

ରାସ୍ତାକଡ଼ରେ ୧୪ ପରିବାର

ପଦ୍ମପୁର,୭।୬(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବିଦେଇପୁର ପଞ୍ଚାୟତ କଣ୍ଟିଆନାଳି ଗ୍ରାମର ୧୪ ପରିବାର ୧୦ ଦିନ ଧରି ଜାମୁଝାଡ଼ି-ଧାମରା ରାସ୍ତା ବିଦେଇପୁର ଛକ ନିକଟରେ ପଲିଥିନ ତଳେ ରହୁଛନ୍ତି। ବାତ୍ୟା ୟାସ୍‌ ପ୍ରଭାବରେ ପ୍ରବଳ ବର୍ଷା ଯୋଗୁ ପାଣି ପଶି ସେମାନଙ୍କ ଘର ଭାଙ୍ଗିଯାଇଛି। ରହିବା ପାଇଁ କୌଣସି ଉପାୟ ନ ପାଇ ରାଜରାସ୍ତା ପାର୍ଶ୍ୱରେ ସେମାନେ ଆଶ୍ରୟ ନେଇଛନ୍ତି। ପ୍ରଶାସନ ପକ୍ଷରୁ ସେମାନଙ୍କୁ ଖଣ୍ଡିଏ ଲେଖାଏ ପଲିଥିନ ଓ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଇଥିଲା। ଏ ପର୍ଯ୍ୟନ୍ତ ସମସ୍ତଙ୍କ ଘର ପାଣିଘେରରେ ରହିଥିବାରୁ ସେମାନେ ଫେରି ପାରୁନାହାନ୍ତି। ରାସ୍ତାରେ ଶତାଧିକ ଭାରିଯାନ ଚଳାଚଳ କରୁଥିବା ବେଳେ ୧୪ ପରିବାରର ୬୩ରୁ ଊର୍ଦ୍ଧ୍ୱ ସଦସ୍ୟ ବିପଜ୍ଜନକ ଭାବେ ବସବାସ କରୁଛନ୍ତି। ସେମାନଙ୍କୁ କୌଣସି ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇ ନାହିଁ। ଏପରିକି ବନ୍ୟା ପାଣିରେ ସେମାନଙ୍କର ଖାଦ୍ୟ ଦ୍ରବ୍ୟ, ଲୁଗାପଟା, ବାସନ ନଷ୍ଟ ହୋଇଯାଇଥିବା ବେଳେ ସେମାନଙ୍କୁ ରନ୍ଧାଖାଦ୍ୟ ମଧ୍ୟ ପ୍ରଦାନ କରାଯାଉ ନ ଥିବା କହି ଅସନ୍ତୋଷ ପ୍ରକାଶ କରିଛନ୍ତି।
ଏ ସମ୍ପର୍କରେ ତହସିଲଦାର ସୌମ୍ୟଶ୍ରୀ ପାଣିଗ୍ରାହୀଙ୍କୁ ପଚାରିବାରୁ କହିଛନ୍ତି, ଲୋକଙ୍କୁ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରିବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସେମାନେ ଆସିବାକୁ ରାଜି ହେଉନାହାନ୍ତି। ଅପରପକ୍ଷେ ଲୋକଙ୍କ କହିବା ଅନୁଯାୟୀ ସେମାନେ ପାଣିଘେରରେ ଥିବା ନିଜ ଘର ଆଗରେ ରହିଛନ୍ତି। ଫଳରେ ସେମାନଙ୍କ ଘରେ ଥିବା ସାମଗ୍ରୀ ଚୋରି ହୋଇପାରିବ ନାହିଁ।