ଲକ୍ଷାଧିକ ଟଙ୍କାର ବିଦ୍ୟୁତ୍‌ ସରଞ୍ଜାମ ଚୋରି: କର୍ମଚାରୀ ସମ୍ପୃକ୍ତି ସନ୍ଦେହ

ବ୍ରହ୍ମପୁର ଅଫିସ,୧୪ା୧୦: ବୈଦ୍ୟନାଥପୁର ଥାନା ଅଧୀନ ଗଜପତିନଗର ୯ମ ଗଳିରେ ଥିବା ଏକ ଗୋଦାମରୁ ଲକ୍ଷାଧିକ ଟଙ୍କାର ସ୍ମାର୍ଟ ବିଦ୍ୟୁତ ମିଟର ପାଇଁ ଥିବା ବିଭିନ୍ନ ସରଞ୍ଜାମ ଚୋରି ହୋଇଥିବା ଅଭିଯୋଗ ହୋଇଛି। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଗୋଦାମରେ କାମ କରୁଥିବା କେତେଜଣ କର୍ମଚାରୀ ଚୋରି କରିଥିବା ପୋଲିସ ସନ୍ଦେହ କରୁଛି। ସିସିଟିଭି ଫୁଟେଜ ଆଧାରରେ ଏହାର ତଦନ୍ତ ଚାଲିଥିବା ପୋଲିସ କହିଛି।

ହଳଦିଆପଦର ବଡ଼ସାହିର କାହ୍ନା ମହାରଣା ଟାଟା ପାୱାର ତରଫରୁ ସହରରେ ସ୍ମାର୍ଟ ମିଟର ଲଗାଇବା ପାଇଁ ଗଜପତିନଗରରେ ଏକ ଗୋଦାମ କରିଛନ୍ତି। ଗୋଦାମ କିଛିଦିନ ପାଇଁ ବନ୍ଦ ରହିଥିଲା। ଗତ ୬ ତାରିଖ ପୂର୍ବାହ୍ନରେ ଜଣେ କର୍ମଚାରୀ ଗୋଦାମ ଖୋଲିବାକୁ ଯାଇଥିବା ବେଳେ ସଟର ତାଲା ଭାଙ୍ଗିଥିବା ଦେଖି ମାଲିକ କାହ୍ନାଙ୍କୁ ଜଣାଇଥିଲେ। ପରେ ସେ ସେଠାରେ ପହଞ୍ଚି ଗୋଦାମରୁ ଗୋଟିଏ ସିଏମ୍‌ଆର୍‌ ମେଶିନ୍‌, ୬ଟି ଏନଆଇସି କାର୍ଡ, ୩ଟି ପୁରୁଣା ଏନ୍‌ଆଇସି କାର୍ଡ, ୧୦୦ଟି ସ୍ମାର୍ଟ ମିଟର ପାଇଁ ବ୍ୟବହୃତ ହେବାକୁ ଥିବା ସିଲ୍‌ ଚୋରି ହୋଇଥିବା ଦେଖିଥିଲେ। ଏନେଇ ଥାନାରେ ତାଙ୍କ ଏତଲା ପ୍ରକାରେ ନଂ.୩୫୫/୨୨ରେ ଏକ ମାମଲା ରୁଜୁ ହୋଇଛି।