ସହରରେ ବଢୁଛି ଚୋରି

କେନ୍ଦୁଝର,୧୧ା୧(ସ୍ବ.ପ୍ର.): କେନ୍ଦୁଝର ସହରରେ କିଛି ଦିନ ଚୋରମାନଙ୍କର ପ୍ରାଦୁର୍ଭାବ ବୃଦ୍ଧିି ପାଇବାରେ ଲାଗିଥିବାରୁ ସହରବାସୀ ଚିନ୍ତା ବ୍ୟକ୍ତ କରିଛନ୍ତି। କେତେକ ବ୍ୟବସାୟୀ ସିିସିଟିଭି କ୍ୟାମେରାରେ କଏଦ ହୋଇଥିବା ଭିଡିଓ କ୍ଲିପ୍‌କୁ ନେଇ ଚୋରଙ୍କୁ ଧରିବାକୁ ଦାବି କରିଛନ୍ତି। ମାଗୁରଗାଡ଼ିଆରେ ଏକ ଲୁହା ରଡ୍‌ ଦୋକାନର ଷ୍ଟୋର ରୁମ୍‌ରୁ ଚୋରମାନେ ଏକ ମୋବାଇଲ ଏବଂ ଲୁହା କାଟିବା ମେଶିନ ଚୋରି ହୋଇଥିବା ଜାଣିବା ପରେ ପୋଲିସକୁ ସୂଚନା ଦେଇଛନ୍ତି। ସେହିପରି ଡେଲି ମାର୍କେଟ ଭିତରେ ଥିବା ମୁନା କ୍ଲଥ୍‌ ଷ୍ଟୋରରୁ କବାଟ ଭାଙ୍ଗି ବିଫଳ ହେବା ପରେ ଆଜବେଷ୍ଟସ୍‌ ଭାଙ୍ଗିି ଦୋକାନ ଭିତରେ ପଶି ୯୦ହଜାର ଟଙ୍କା ସହ ଲକ୍ଷାଧିକ ଟଙ୍କାର ଶାଢି ଚୋରି କରି ନେଇଥିବା ଟାଉନ ଥାନାରେ ଦୋକାନୀ ମାଲିକ ଏମ୍‌ଡି ଇଦ୍‌ରିଶ ଅଭିଯୋଗ କରିଛନ୍ତି। ଏହ ଦୋକାନ ନିକଟରେ ଥିବା ଏକ ପୂଜା ସାମଗ୍ରୀ ଦୋକାନ ଭାଙ୍ଗି କିଛି ସାମଗ୍ରୀ ଚୋରି କରିଛନ୍ତି । ସେହିପରି ଟାଉନର ବିଭିନ୍ନ ସ୍ଥାନରେ ଛୋଟବଡ଼ ଚୋରି ହେଉଥିଲେ ହେଁ ପୋଲିସ ନିକଟରେ ଅଭିଯୋଗ କରୁନାହାନ୍ତି। ଚୋରମାନେ ଶୀତର ପ୍ରକୋପର ସୁଯୋଗ ନେଇ ରାତି ଅଧରେ ଅବାଧରେ ଗଳିକନ୍ଦିରେ ବୁଲି ଛୋଟବଡ଼ ଜିନିଷ ଚୋରି କରି ନେଉଥିବାରୁ ସହରବାସୀ ଭୟଭୀତ ହୋଇପଡ଼ିଛନ୍ତି। ପୋଲିସ ପକ୍ଷରୁ ରାତିରେ ଠିକ୍‌ ଭାବରେ ସବୁ ଅଞ୍ଚଳରେ ପାଟ୍ରୋଲିଂ କରାଯାଉ ନ ଥିବାରୁ ଚୋରି ବଢୁଛି ବୋଲି ମତପ୍ରକାଶ ପାଇଛି। ଅନ୍ୟପକ୍ଷରେ ପୋଲିସ ଅଭିଯୋଗ ପାଇବା ପରେ ଗୁରୁତର ସହ ନେଇ ଚୋରଙ୍କୁ ଧରିବା ପାଇଁ ସିସିଟିଭି ଯାଞ୍ଚ କରି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।