ଦାରିଙ୍ଗବାଡ଼ି,୪ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡ଼ି ପଞ୍ଚାୟତ କାରିପାଙ୍ଗା ଗ୍ରାମର ଅରୁଣ ପ୍ରଧାନଙ୍କ ଓ୍ବାଟର ସର୍ଭିସ ସେଣ୍ଟରରୁ ଚୋରି ଘଟଣାରେ ପୋଲିସକୁ ମିଳିଛି ବଡ଼ ସଫଳତା। ଚୋରି ହେବାର ମାତ୍ର ଅଧ ଘଣ୍ଟା ମଧ୍ୟରେ କ. ନୂଆଗାଁ ପୋଲିସ ଉକ୍ତ ଥାନା ସିର୍ତ୍ତିଗୁଡା ଗାଁରେ ବ୍ଲକିଂ କରି ଚୋରି କରିନେଉଥିବା ପିକଅପ୍ ଭ୍ୟାନ୍କୁ କାବୁ କରି ୨ ଜଣଙ୍କୁ ଅଟକ ରଖି ପରେ ଦାରିଙ୍ଗବାଡ଼ି ଥାନାକୁ ହସ୍ତାନ୍ତର କରିଥିଲା। କ. ନୂଆଗାଁ ପୋଲିସ ପରେ ଦାରିଙ୍ଗବାଡ଼ି ଆଇଆଇସି ଅଟକ ୨ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିଦ୍ୱୟ ହେଲେ ବ୍ରହ୍ମପୁର ନିମଖଣ୍ଡି ଥାନା ଲୁଚାପଡ଼ା ଅଞ୍ଚଳର ଜଗନ୍ନାଥ ସାହୁ ଏବଂ ବ୍ରହ୍ମପୁର ବଡ଼ବଜାର ଥାନା ଫାଷ୍ଟଗେଟ୍ ଅଞ୍ଚଳର ରବି ପ୍ରଧାନ। ସେମାନଙ୍କଠାରୁ ସମସ୍ତ ଚୋରି ସାମଗ୍ରୀକୁ ପୋଲିସ ଜବତ କରିଛି। ଏନେଇ ପୋଲିସ ମାମଲା( ୧୭୧/୨୬) ରୁଜୁ କରି ଅଧିକ ତଦନ୍ତ କରୁଛି ବୋଲି ଆଇଆଇସି ସଂଗ୍ରାମ କେଶରୀ ଜେନା ସୂଚନା ଦେଇଛନ୍ତି।