ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି ଡା. ରାଧା ମୋହନ ଦାସ ଅଗ୍ରୱାଲଙ୍କ ଘରେ ଚୋରି ହୋଇଛି । ଦିଲ୍ଲୀର ଫିରୋଜଶାହ ରୋଡ୍ସ୍ଥିତ ଏହି ଅଞ୍ଚଳକୁ VIP ଜୋନ୍ ଭାବେ ଗଣାଯାଏ।
ଘଟଣାର ସବୁଠାରୁ ଚର୍ଚ୍ଚିତ ଦିଗ ହେଉଛି, ଚୋରମାନେ ମୂଲ୍ୟବାନ ସାମଗ୍ରୀ ସହ ଗଟରର ଢାଙ୍କୁଣି ମଧ୍ୟ ଚୋରି କରି ନେଇଥିବା ଜଣାପଡ଼ିଛି। ଚୋରି ଖବର ପାଇବା ପରେ ଦିଲ୍ଲୀ ପୋଲିସ ଓ ଫରେନସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏମପିଙ୍କ ଘରେ ଚୋରମାନେ କିପରି ପ୍ରବେଶ କଲେ ଏବଂ କେଉଁଭଳି ଚୋରି କଲେ, ସେନେଇ ପୋଲିସ ତଦନ୍ତ କରୁଛି। ଫିରୋଜଶାହ ରୋଡ୍ ଅଞ୍ଚଳରେ ଅନେକ ଏମପି ଓ ବଡ଼ ବଡ଼ ନେତାଙ୍କ ଘର ରହିଛି । ଏଠାରେ କଡ଼ା ସୁରକ୍ଷା ବ୍ୟବସ୍ଥା ରହିଥିଲେ ମଧ୍ୟ ଏଭଳି ଚୋରି ଘଟଣା ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି।ଘଟଣାର ତଦନ୍ତ ପାଇଁ ଅଞ୍ଚଳରେ ଲାଗିଥିବା CCTV କ୍ୟାମେରାର ଫୁଟେଜ୍ ଯାଞ୍ଚ କରାଯାଉଛି । ଚୋରମାନେ କେଉଁ ରାସ୍ତାରେ ଆସିଥିଲେ ଏବଂ କେଉଁ ରାସ୍ତାରେ ଫେରିଥିଲେ, ତାହା ଜାଣିବାକୁ ପୋଲିସ ଉଦ୍ୟମ କରୁଛି।
ଏପର୍ଯ୍ୟନ୍ତ ଚୋରି ଘଟଣା କେବେ ଘଟିଥିଲା ଏବଂ ଏଥିରେ କେତେଜଣ ସାମିଲ ଥିଲେ, ତାହା ସ୍ପଷ୍ଟ ହୋଇନାହିଁ। ଚୋରମାନେ ଠିକ୍ କେଉଁ କେଉଁ ମୂଲ୍ୟବାନ ସାମଗ୍ରୀ ନେଇଯାଇଛନ୍ତି, ସେନେଇ ମଧ୍ୟ ପୋଲିସ ତଥ୍ୟ ସଂଗ୍ରହ କରୁଛି। ଅନ୍ୟପଟେ ଫରେନସିକ୍ ଟିମ୍ ସାଂସଦଙ୍କ ଘରର ବିଭିନ୍ନ ସ୍ଥାନରୁ ଫିଙ୍ଗରପ୍ରିଣ୍ଟ ସମେତ ଅନ୍ୟାନ୍ୟ ପ୍ରମାଣ ସଂଗ୍ରହ କରୁଛି ।