ଦୁଃଖରେ ଦିନ କାଟୁଛନ୍ତି ଜୁଆଙ୍ଗ ପରିବାର

କେନ୍ଦୁଝର,୮।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଅନ୍ତର୍ଗତ ବାୟାପଣ୍ଡାଧାର ଗ୍ରାମରେ ରଥିଆ ଜୁଆଙ୍ଗ ଶାରିରୀକ ସ୍ତରରେ ଚଳପ୍ରଚଳ କରି ପାରୁ ନ ଥିଲେ ହେଁ ନା ମିଳୁଛି ତାଙ୍କୁ ଭତ୍ତା ନା ଚିକିତ୍ସା ସହାୟତା। ଫଳରେ ଦୀର୍ଘ ମାସ ହେଲା କାମ ଧନ୍ଦା କରି ନ ପାରି ଘରେ ପଡିରହିଥିବାରୁ ତାଙ୍କ ପରିବାର ବହୁ କଷ୍ଟରେ ଚଳୁଛି। ତାଙ୍କ ସ୍ତ୍ରୀ ପଦ୍ମିନୀ ମୂଲମଜୂରି କରି ତାଙ୍କ ସେବା କରିବା ସହ ବହୁ କଷ୍ଟରେ ତିନି ଶିଶୁଙ୍କ ଯତ୍ନ ନେଉଛନ୍ତି।
ଝିଅ ସପ୍ତମ ଶ୍ରେଣୀରେ ଯିବା ଆସିବା କରି ବାୟାପାଣ୍ଡାଧାର ସ୍ଥିତ ଆଦିବାସୀ କଲ୍ୟାଣ ବିଭାଗ ଅଧୀନରେ ଚାଲିଥିବା ବିଦ୍ୟାଳୟରେ ପାଠ ପଢୁଛନ୍ତି। ୪ର୍ଥ ଶ୍ରେଣୀ ପର୍ଯ୍ୟନ୍ତ ହଷ୍ଟେଲରେ ରହି ପଢୁଥିଲେ। ତାଙ୍କ ଦେହ ଖରାପ ହେବାରୁ ତାଙ୍କୁ ହଷ୍ଟେଲରେ ଆଉ ରଖିଲେ ନାହିଁ। ପରିବାର ଲୋକେ ଘରକୁ ଆଣି ତାଙ୍କ ଚିକିତ୍ସା କରିବା ପରେ ଘରୁ ଯିବା ଆସିବା କରି ପାଠ ପଢୁଛନ୍ତି ବୋଲି ତାଙ୍କ ମା’ ପଦ୍ମିନୀ କହିଛନ୍ତି।
ବାପା ରଥିଆ ବହୁ କଷ୍ଟରେ କାମ ଧନ୍ଦା କରି ପରିବାର ଚଳାଉଥିଲେ। କିଛି ମାସ ତଳେ ରଥିଆ ହଠାତ୍‌ ଅଜଣା ରୋଗରେ ଆକ୍ରାନ୍ତ ହୋଇଥିଲେ। ଅଣ୍ଟା, ଗୋଡ଼ ଚଳପ୍ରଚଳ ନ ହେବାରୁ ଘରେ ପଡ଼ିରହିଲେ। ପରିବାର ଚଳିବା କଷ୍ଟକର ହୋଇ ପଡ଼ିବାରୁ ତାଙ୍କର ସେବା କରିବା ସହ ମୂଲ ମଜୂରୀ କରି ପରିବାର ଚଳାଇବାକୁ ତାଙ୍କ ସ୍ତ୍ରୀ ପଦ୍ମିନୀ ପଦାକୁ ବାହାରିଥିଲେ। ତେବେ କାମଧନ୍ଦା ମିଳୁ ନ ଥିବାରୁ ସ୍ବାମୀଙ୍କ ଚିକିତ୍ସା କିପରି କରିବେ ଏବଂ ତିନି ଶିଶୁଙ୍କ ଯତ୍ନ କିପରି ନେବେ ସେ ନେଇ ଚିନ୍ତାରେ ଭାଙ୍ଗି ପଡୁଛନ୍ତି ପଦ୍ମିନୀ। ପୁରାତନ ଜନଜାତି ଜୁଆଙ୍ଗ ତଥା ଆଦିବାସୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ସରକାରଙ୍କ ବହୁ ଯୋଜନା କାମ କରୁଥିବାବେଳେ ଜୁଆଙ୍ଗ ଉନ୍ନୟନ ସଂସ୍ଥା କାର୍ଯ୍ୟ କରିଆସୁଛି। ଏହା ସତ୍ତ୍ୱେ ଉକ୍ତ ଅଞ୍ଚଳର ବହୁ ଜୁଆଙ୍ଗ ପରିବାର ନିଷ୍ପେଷିତ ଜୀବନ କାଟୁଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି। ଏଣୁ ତୁରନ୍ତ ରଥିଆଙ୍କ ଚିକିତ୍ସା ବ୍ୟବସ୍ଥା କରିବା ସହ ଦାରିଦ୍ର୍ୟ ଦୂରୀକରଣ ଯୋଜନାରେ ତାଙ୍କ ପରିବାରକୁ ସହାୟତା କରିବାକୁ ସ୍ଥାନୀୟ ଲୋକେ ନିବେଦନ କରିଛନ୍ତି।