ମହିଳାଙ୍କୁ ହତ୍ୟା ଧମକ ଦେଇ ଫସିଲେ କନିଷ୍ଠ ଯନ୍ତ୍ରୀ

କେନ୍ଦୁଝର, ୩୧ା୩ (ନରେଶ ଚନ୍ଦ୍ର ପଟ୍ଟନାୟକ): ଟାଉନ ଥାନା ଅନ୍ତର୍ଗତ ପୁରୁଣା ବଜାର ହାଉସିଂ ବୋର୍ଡ କଲୋନୀରେ ଗାୟତ୍ରୀ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ଜଣେ ସଦସ୍ୟାଙ୍କୁ ଦୁର୍ବ୍ୟବହାର ଓ ହତ୍ୟା ଧମକ ଦେବା ଅଭିଯୋଗରେ ଟାଉନ ଥାନାରେ ପୌରପାଳରିକା କନିଷ୍ଠ ଯନ୍ତ୍ରୀ ଦେବାଶିଷ ପଲେଇ ବିରୋଧରେ ଅଭିଯୋଗ ହୋଇଛି। ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା ସ୍ନେହଲତା ମହାପାତ୍ର ଏହି ଅଭିଯୋଗ କରିବା ପରେ ପୋଲିସ କେସ ନମ୍ବର ୧୮୧/୨୦୧୫ ଦଫା ୩୪୧/୨୯୪/୫୦୬ ଓ ୩୪ ଆଇପିସି ଧାରାରେ ମାମଲା ରୁଜୁ କରିଛି। ଉକ୍ତ ଅଧିକାରୀ ଦେବାଶିଷ ପଲେଇ ଖୁଲମଖୁଲା ଆସି ପୌରପାଳିକା କାର୍ଯ୍ୟାଳୟରେ ଅଫିସ କାମ କରୁଥିଲେ ହେଁ ଟାଉନ ପୋଲିସ ଗିରଫ କରୁ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।
ଅଭିଯୋଗ ଅନୁଯାୟୀ, ହାଉସିଂ ବୋର୍ଡ କଲୋନୀ ନିକଟରେ ୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ କୀର୍ତ୍ତନ ଗ୍ରାଉଣ୍ଡ ( କମୁନିଟି ସେଂଟର) ପାଇଁ ଅର୍ଥ ମଂଜୁର ହୋଇଥିଲା। ଏହି କାମ ପାଇଁ କନିଷ୍ଠ ଯନ୍ତ୍ରୀଙ୍କ ନିର୍ଦ୍ଦେଶରେ ପଡିଆରେ ଥିବା ୨ଟି ଗଛ ବଦଳରେ ୪ଟି ଗଛ କାଟି ଦିଆଯିବାରୁ ସ୍ନେହଲତା ମହାପାତ୍ର ବନବିଭାଗ ନିକଟରେ ଅଭିଯୋଗ କରିଥିଲେ। ଏ ନେଇ ବନ ବିଭାଗର ଅଧିକାରୀ (କନିଷ୍ଠ ଯନ୍ତ୍ରୀ) ଏବଂ କର୍ମଚାରୀ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ। ଏହାକୁ ନେଇ ୧୫ ମାର୍ଚ୍ଚରେ ମୁକ୍ତା ସ୍କିମର ଅଧିକାରୀ ଦେବାଶିଷ ପଲେଇ, ଠିକାଦାର କେଶବ ଚନ୍ଦ୍ର ମହାନ୍ତ,ସତ୍ୟ ନାରାୟଣ ଉଦ୍‌ଗାତା ଓ ସୁଶାନ୍ତ ମହାନ୍ତ(ବୁଲୁ) ଅପରାହ୍ନ ୧ଟା ୩୦ରେ ତାଙ୍କ ଘରକୁ ଯାଇ ଅଶ୍ଲୀଳ ଭାଷା ପ୍ରୟୋଗ କରିବା ସହ ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଛି। ଏ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ୧୯ ମାର୍ଚ୍ଚାରେ ସ୍ନେହଲତା ମହାପାତ୍ର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତେବେ ଏହାକୁ ନେଇ ପୋଲିସ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ଅଭିଯୋଗକାରିଣୀ ଅସନ୍ତୋଷ ପ୍ରକାଶ କରି ଆରକ୍ଷୀ ଅଧୀକ୍ଷକଙ୍କ ହସ୍ତକ୍ଷେପ ଲୋଡିଛନ୍ତି। ଏନେଇ ମୁକ୍ତା ସ୍କିମର ଅଧିକାରୀ ଦେବାଶିଷ ପଲେଇ ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି। ଅନ୍ୟପକ୍ଷରେ ଏଭଳି ସମ୍ବେଦନଶୀଳ ଘଟଣାକୁ ନେଇ ଉଭୟ ବନ ଓ ପୋଲିସ ବିଭାଗ କାଯର୍‌ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଲୋକ ଦାବି କରୁଛନ୍ତି ା