କୁରାଢ଼ି ବେଣ୍ଟରେ ବଡ଼ଭାଇଙ୍କ ଜୀବନ ନେଲେ ସାନଭାଇ, ଫାଣ୍ଡିରେ କଲେ ଆତ୍ମସମର୍ପଣ

କୁଆଁରମୁଣ୍ଡା,୧୬ା୧୧(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ପୁଟୁରୀଖମଣ ପଞ୍ଚାୟତ ହରପାଲି ଗ୍ରାମର ସୁଖୁ ଲାକ୍ରା(୪୦)ଙ୍କୁ ତାଙ୍କ ସାନଭାଇ ବାନ୍ଧନା ଲାକ୍ରା(୩୦) ରବିବାର କୁରାଢ଼ି ବେଣ୍ଟ ପାଇଁ ଥିବା କାଠବାଡ଼ିରେ ମରଣାନ୍ତକ ଆକ୍ରମଣ କରିଥିଲେ। ଫଳରେ ସୁଖୁ ଘଟଣାସ୍ଥଳରେ ଅଚେତ୍‌ ହୋଯାଇଥିଲେ। ଗୁରୁତର ଅବସ୍ଥାରେ ସୁଖୁଙ୍କୁ ପରିବାର ଲୋକେ ରାଉରକେଲା ସରକାରୀ ଡାକ୍ତରଖାନାକୁ ନେଇଥିଲେ। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ସେହି ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହା ପରେ ସାନଭାଇ ବାନ୍ଧନା କୁଆଁରମୁଣ୍ଡା ଫାଣ୍ଡିରେ ଆତ୍ମସମର୍ପଣ କରିବା ସହ ଘଟଣା ସମ୍ପର୍କରେ ପୋଲିସକୁ ସମସ୍ତ ତଥ୍ୟ ଦେଇଛନ୍ତି। ଏ ନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି ା
ପୋଲିସ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ମୃତ ବଡ଼ ଭାଇ ସୁଖୁ ଅବିବାହିତ ଥିବା ବେଳେ ହତ୍ୟାକାରୀ ସାନଭାଇ ବାନ୍ଧନା ବିବାହିତ ଅଟନ୍ତି। ରବିବାର ଦୀପାବଳିରେ କୌଣସି କାରଣରୁ ବଡ଼ଭାଇ ସୁଖୁ ତାଙ୍କ ସାନଭାଇ ବାନ୍ଧନା ଓ ତାଙ୍କ ସ୍ତ୍ରୀଙ୍କୁ ବାଡ଼େଇଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ସାନଭାଇ ବାନ୍ଧନା ଘର ଭିତରେ ଥିବା ଏକ କୁରାଢ଼ି ବେଣ୍ଟରେ ସୁଖୁଙ୍କୁ ପିଟିଥିଲେ।