ବନ୍ଧୁକ ଦେଖାଇ ବଟି ମାଗୁଛନ୍ତି ଯୁବକ

ଖୋର୍ଦ୍ଧା ଅଫିସ,୧୯ା୯:ଖୋର୍ଦ୍ଧା ସଦର ଥାନା ଅଧୀନ ଗ୍ରାମାଞ୍ଚଳରେ ନିଶା ଓ ଚୋରା ବନ୍ଧୁକ କାରବାର ଚାଲିଛି। ଅସାମାଜିକ ଯୁବକମାନେ ବନ୍ଧୁକ ଧରି ବୁଲୁଛନ୍ତି। ଦିନଦ୍ୱିପ୍ରହରରେ ଲୋକଙ୍କୁ ବନ୍ଧୁକ ଦେଖାଇ ଡରାଇ ଧମକାଇ ବଟି ଆଦାୟ କରୁଛନ୍ତି। ଏଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଜଣେ ଯୁବକ ବନ୍ଧୁକ ଦେଖାଇ ଲୋକଙ୍କୁ ଭୟଭୀତ କରୁଥିବା ଦୃଶ୍ୟ ଏହି ଭାଇରାଲ ଭିଡିଓରେ ରହିଛି। ସ୍ଥାନୀୟ ଲୋକେ ସମ୍ପୃକ୍ତ ଯୁବକଙ୍କୁ ଧରି ପୋଲିସ ଜିମା ଦେଇଛନ୍ତି। ସଦର ଥାନା ପୋଲିସ ସମ୍ପୃକ୍ତ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି। ବନ୍ଧୁକ କେଉଁଠୁ ଆଣିଲେ, କେବେଠାରୁ ନିଜ ପାଖରେ ରଖିଛନ୍ତି, ଆଉ କାହା ପାଖରେ ବନ୍ଧୁକ ରହିଛି, କେବେ ଠାରୁ ଏହି କାରବାରରେ ଲିପ୍ତ ପ୍ରଭୃତି ବିଭିନ୍ନ ପ୍ରଶ୍ନ ତାଙ୍କୁ ପୋଲିସ ପଚାରିବା ସହ ଏହି ଘଟଣାର ଖୋଳତାଡ଼ କରୁଛି। ତାଙ୍କଠାରୁ ମିଳିଥିବା ତଥ୍ୟ ଭିତ୍ତିରେ ସଦର ଓ ଟାଉନ ପୋଲିସ ପୃଥକ ଭାବେ ବାଜପୁର, ନନ୍ଦପୁର ଏବଂ ଖୋର୍ଦ୍ଧା ସହରର ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି। ଅନ୍ୟପକ୍ଷରେ ଗ୍ରାମାଞ୍ଚଳରେ ଚୋରା ବନ୍ଧୁକ କାରବାର ହେଉଥିବାବେଳେ କିପରି ପୋଲିସ ପାଖରେ ଖବର ନାହିଁ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେହିପରି ଖୋର୍ଦ୍ଧା ସହରରେ ନିଶା କାରବାର ଉପରେ ଚଢାଉ ହେଉଥିଲେ ମଧ୍ୟ ଗ୍ରାମାଞ୍ଚଳ ପ୍ରତି ପୋଲିସ ଆଖି ବୁଜି ଦେଇଛି। ଫଳରେ ଗ୍ରାମାଞ୍ଚଳରେ ନିଶା କାରବାର ବଢିଚାଲିଛି। କମ୍‌ ସମୟରେ ଅଧିକ ଟଙ୍କା ରୋଜଗାର ଲାଳସାରେ ଅଧିକାଂଶ ଯୁବକ ନିଶା କାରବାରରେ ଲିପ୍ତ ରହୁଛନ୍ତି। ଲୋକଙ୍କୁ ଧମକ ଚମକ ଦେବା ଲାଗି ମାଉଜର, ବନ୍ଧୁକ ଚୋରାରେ ଆଣି ପାଖରେ ରଖି ବଜାରରେ ବୁଲୁଛନ୍ତି। ବନ୍ଧୁକ ସହ ଯୁବକ ଧରାପଡ଼ିବା ଘଟଣାରେ ଅଧିକ ତଦନ୍ତ ଜାରି ରହିଥିବାରୁ ଏ ସମ୍ପର୍କରେ ପୋଲିସ କୌଣସି ସୂଚନା ଦେବାକୁ ମନା କରିଛି।