ପିକ୍‌ଅପ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ

ବରୀ,୮ା୧୦(ଡି.ଏନ୍‌.ଏ.): ବରୁହଁ-କଳାମାଟିଆ ପୂର୍ତ୍ତ ବିଭାଗ ରାସ୍ତାର ଗୋବିନ୍ଦବାଟି ଛକ ନିକଟରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଯାଜପୁର ଜିଲା ବରୀ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ମାଳଦା ଗ୍ରାମର କିଶୋର ଦାସଙ୍କ ପୁଅ ସୁନାକର (୨୫) ଏକ ସ୍କୁଟି ଯୋଗେ ଆସୁଥିବା ସମୟରେ ଅପରପକ୍ଷରୁ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଓଡି ୦୪ ଆର୍‌ ୭୧୩୪ ଅତି ଦ୍ରୁତଗତିରେ ଆସି ଦୁର୍ଘଟଣା ଘଟାଇ ରାସ୍ତାର ବାମପାର୍ଶ୍ୱକୁ ଓଲଟି ପଡ଼ିଥିଲା। ଏହି ଗାଡ଼ିର ଡ୍ରାଇଭର ଦୁର୍ଘଟଣା ଘଟାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିବା ସୁନାକରଙ୍କୁ ସ୍ଥାନୀୟ ଲୋକେ ଯାଜପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ତେବେ ଡାକ୍ତର ସେଠାରେ ସୁନାକରଙ୍କୁ ମୃତ ଘୋଷଣା କରିଛନ୍ତି। ଖବର ପାଇ ଥାନାଧିକାରୀ ମନୋଜ କୁମାର ସ୍ବାଇଁ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଜବତ କରିବା ସହ ଅଧିକ ତଦନ୍ତ ଚଳାଇଥିବା କହିଛନ୍ତି।