Categories: ଫୁରସତ

ତେଲ ଦେବାକୁ ମନା କରିବା ପରେ ପେଟ୍ରୋଲ ପମ୍ପରେ ସାପ ଛାଡ଼ିଦେଲେ ଯୁବକ

ବୁଲଡାନା, ୧୪।୭- ମହାରାଷ୍ଟ୍ରର ବୁଲଡାନା ଜିଲାରୁ ଚକିତ କଲା ଭଳି ଏକ ଖବର ସାମ୍ନାକୁ ଆସିଛି। ଜଣେ ଯୁବକ ବୋତଲରେ ପେଟ୍ରୋଲ ଆଣିବାକୁ ଯାଇଥିଲେ। କିନ୍ତୁ ବୋତଲରେ ତେଲ ଦେବାକୁ ପେଟ୍ରୋଲ ପମ୍ପ କର୍ତ୍ତୃପକ୍ଷ ଯୁବକଙ୍କୁ ମନା କରିଦେଇଥିଲେ। ଏହାପରେ ଯୁବକ ଜଣଙ୍କ ସେହି ବୋତଲରେ ଏକ ସାପ ଭର୍ତ୍ତି କରି ଆଣି ପେଟ୍ରୋଲ ପମ୍ପ ମାଲିକଙ୍କ କ୍ୟାବିନରେ ଛାଡ଼ି ଦେଇଥିଲେ। ଯୁବକଙ୍କ ଏହି କାରାନାମା ପେଟ୍ରୋଲ ପମ୍ପରେ ଲାଗିଥିବା ସିସିଟିଭିରୁ ସ୍ପଷ୍ଟ ଭାବେ ଜଣାପଡ଼ିଛି। ଘଟଣାରୁ ଜଣାପଡ଼ିଛି, ବୁଲଡାନାର ମଲକପୁର ରୋଡରେ ଚୌଧୁରୀ ପେଟ୍ରୋଲ ପମ୍ପ୍‌ ରହିଛି। ମଙ୍ଗଳବାର ଜଣେ ଯୁବକ ଏଠାକୁ ବୋତଲ ଧରି ତେଲ ନେବାକୁ ଆସିଥିଲେ। କିନ୍ତୁ କରୋନା ଲାଗି ସରକାର ବୋତଲ, କେନ୍‌ କିମ୍ବା ଡ୍ରମ୍‌ରେ ପେଟ୍ରୋଲ ଦେବାକୁ ମନା କରିଛନ୍ତି। ଏହି କାରଣରୁ ପେଟ୍ରୋଲ ପମ୍ପ୍‌ ମାଲିକ ବୋତଲରେ ତେଲ ଦେବାକୁ ଯୁବକଙ୍କୁ ମନା କରିଦେଇଥିଲେ। ଏଥିରେ ରାଗି ଯାଇ ଯୁବକ ଜଣଙ୍କ ଫେରିଯାଇଥିଲେ। ଏବଂ କିଛି ସମୟ ପରେ ସେହି ବୋତଲରେ ଏକ ସାପ ପୁରାଇ ଆଣିଥିଲେ। ଏହାପରେ ସେ ମାଲିକଙ୍କ କ୍ୟାବିନ ଭିତରକୁ ଯାଇ ସାପଟିକୁ ଫିଙ୍ଗି ଦେଇ ପଳାଇବା ସିସିଟିଭିରୁ ଜଣାପଡ଼ିଛି। ଏହାପରେ ସ୍ନେକ ହେଲ୍ପ ଲାଇନର ସଦସ୍ୟ ଆସି ସାପଟିକୁ ଉଦ୍ଧାର କରିଥିଲେ। ପେଟ୍ରୋଲ ପମ୍ପ ମାଲିକ ସେହି ଅଜ୍ଞାତ ବ୍ୟକ୍ତିଙ୍କ ନାମରେ ଥାନାରେ ମାମଲା ରୁଜୁ କରିଥିବା ଜଣାପଡ଼ିଛି।

Share