ନାଳ ପାରି ହେବା ବେଳେ ବର୍ଷାପାଣିରେ ଭାସିଗଲେ ଯୁବକ

ବୌଦ୍ଧ,୨୦।୯(ସ୍ବ.ପ୍ର.): ବୌଦ୍ଧ ଜିଲା ପୁରୁଣାକଟକ ଥାନା ଶାଳକଟା ନିକଟ ଲକ୍ଷ୍ମୀ ନାଳ ପାଣିରେ ଭାସି ଯାଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ପୁରୁଣାକଟକ ଥାନା ଅନ୍ତର୍ଗତ ଶାଳକଟା ଗ୍ରାମର ପ୍ରମୋଦ ଭୋକ୍ତା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରିରଖିଛି ।
ସୂଚନା ମୁତାବକ, ଗତ ରବିବାର ପ୍ରମୋଦ ନିଜ ବନ୍ଧୁଙ୍କ ଘର ଚୁଇଁମାଟିଆୟ ଯାଇଥିଲେ । ସେଠାରୁ ଫେରିବା ବାଟରେ ଲଷ୍ମୀନାଳ ପାର ହେବାକୁ ପଡିଥାଏ । ତେବେ ପ୍ରମୋଦ ନାଳ ପାର ହେଇଥିବା ସମୟରେ ହଠାତ ଲକ୍ଷ୍ମୀ ନାଳରେ ବର୍ଷା ପାଣି ଆସିଥିଲା। ଯାହାଫଳରେ ସେ ଭାସି ଯାଇଥିଲେ । ତେବେ ପ୍ରମୋଦ ଘରକୁ ଫେରି ନ ଥିବା ବେଳେ ସୋମବାରଠାରୁ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ । ସକାଳୁ କିଛି ସ୍ଥାନୀୟ ଲୋକେ ନାଳକୁ ଶୌଚ ପାଇଁ ଯାଇଥିବା ସମୟରେ ନାଳର ଏକ ବୁଦାରେ ମୃତଦେଖ ଦେଖି ପୋଲିସକୁ ଖବର ଦେଇଥିଲେ । ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିବାର ଲୋକଙ୍କ ଦ୍ୱାରା ମୃତଦେହ ଚିହ୍ନଟ କରି ଅଧିକ ତଦନ୍ତ ଚଳାଇଛି।