କାମ କରିବାକୁ ଯାଇ ଘରକୁ ଫେରି ନ ଥିଲେ ଯୁବକ, ସକାଳୁ ମିଳିଲା ମୃତଦେହ

ଆନନ୍ଦପୁର/ଘସିପୁରା,୩ା୭(ସ୍ବ.ପ୍ର./ଡି.ଏନ୍‌.ଏ.):କେନ୍ଦୁଝର ଜିଲା ଘସିପୁରା ଥାନା ଗୋପାଳପୁର ଗ୍ରାମ ନିକଟରେ ଥିବା ଏକ ଚାଷଜମିରୁ ରବିବାର ଜଣେ ଯୁବକଙ୍କ ମୃତଦେହ ଜବତ କରାଯାଇଛି। ମୃତଦେହ ଖାଳିଆମେଣ୍ଟା ହରିଜନ ସାହିର ହୃଷୀକେଶ ମଲ୍ଲିକଙ୍କର ବୋଲି ଜଣାପଡିଛି। ଖବର ପାଇ ଘସିପୁରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତକଙ୍କ ବାପା ବାଇନ ମଲ୍ଲିକ ପୁଅକୁ କେହି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି। ତାଙ୍କ କହିବା ଅନୁଯାୟୀ, ଶନିବାର ସକାଳୁ କାମ କରିବାକୁ ଯାଇ ହୃଷୀକେଶ ଆଉ ଘରକୁ ଫେରି ନ ଥିଲେ। ବହୁ ଆଡେ ଖୋଜାଖୋଜି କରି ପରିବାର ଲୋକେ ନିରାଶ ହୋଇଥିଲେ। କିଛି ଦିନ ପୂର୍ବରୁ ହୃଷୀକେଶଙ୍କର ଗ୍ରାମର ଅନ୍ୟ ଜଣେ ଯୁବକଙ୍କ ସହିତ କୌଣସି କାରଣକୁ ନେଇ ପାଟିତୁଣ୍ଡ ଗଣ୍ଡଗୋଳିଆ ପରିସ୍ଥିତି ସୃଷ୍ଟି ହୋଇଥିବା ବାପା ପ୍ରକାଶ କରିଥିବାବେଳେ, ପୁଅକୁ ହତ୍ୟା କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ପୋଲିସ ଏହି ଘଟଣାରେ ଜଣକୁ ଅଟକ ରଖି ପଚରାଉଚରା ଜାରି ରଖିଥିବାବେଳେ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚିବା ପରେ ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ପୋଲିସ ସୂଚନା ଦେଇଛି।