ସ୍ବାମୀଙ୍କ ନାଁରେ ଥିବା ଗାଡିକୁ ନିଜ ନାଁରେ କରିବା ପାଇଁ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ମହିଳା

କେନ୍ଦୁଝର,୪।୪(ସ୍ବ.ପ୍ର.): ବାଂଶପାଳ ବ୍ଲକ ଅନ୍ତର୍ଗତ ସାପକଣ୍ଟ ଗ୍ରାମର ଜଣେ ବିଧବା ମହିଳା ନିଜ ସ୍ବାମୀଙ୍କ ନାମରେ ଥିବା ଟ୍ରକ୍‌ ନିଜ ନାମରେ କରିବାକୁ ସବୁ ଚେଷ୍ଟା ବିଫଳ ହେବା ପରେ ବାଧ୍ୟ ହୋଇ ଶେଷରେ ଜିଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି। ସାମୀଙ୍କ ମୃତ୍ୟୁ ପରେ ନିଜ ଅଧିକାର ପାଇବାକୁ କେନ୍ଦୁଝର ଜିଲାପାଳଙ୍କ ପାଖେ ଗୁହାରୀ କରିଛନ୍ତି। ପ୍ରକାଶ ଯେ, ସାପକଣ୍ଟା ଗାଁର ବାବୁଲି ବାରିକଙ୍କ ଝିଅ ରେବତୀ ଆରୁକ ଗଜପୁର କଦଳିବାଡ଼ି ଗ୍ରାମର କ୍ଷୀରୋଦ ଆରୁକଙ୍କୁ ୨୮ ମାର୍ଚ୍ଚ ୨୦୨୧ରେ ବିବାହ କରିଥିଲେ। ହେଲେ ବାହାଘର ତିନି ମାସ ନ ଯାଉଣୁ କ୍ଷୀରୋଦ ସଡ଼କ ଦୁର୍ଘଟଣାରେ ଆରପାରିକୁ ଚାଲିଗଲେ। ସ୍ବାମୀର ମୃତ୍ୟୁ ପରେ ଏକାନ୍ତ ହୋଇଯାଇଥିବା ରେବତୀ ସ୍ବାମୀଙ୍କ ଉତ୍ତରାଧିକାରୀ କାଗଜପତ୍ର (ଲିଗାଲ ହେୟାର୍‌) ବାହାର କରିଥିଲେ । ତେବେ ତାଙ୍କ ସ୍ବାମୀଙ୍କ ନାମରେ ଥିବା ୧୪ ଚକିଆ ଟ୍ରକ୍‌ ନଂ ଓଡି ୦୯ଟି ୬୦୨୦କୁ ନିଜ ନାମରେ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ଅନ୍ୟପଟେ, ଶାଶୁ ଘର ଲୋକଙ୍କ ପାଖରେ ଉକ୍ତ ଟ୍ରକ ରହିଥିବା ବେଳେ ତାଙ୍କୁ ଚଳିବା ପାଇଁ କିଛି ଟଙ୍କା ପଇସା ଦେଉନାହାନ୍ତି ବୋଲି ରେବତୀ ଅଭିଯୋଗ କରିଛନ୍ତି। ଆଇନ ଅନୁଯାୟୀ ରେବତୀ ଟ୍ରକ୍‌ଟିର ପ୍ରକୃତ ମାଲିକାଣୀ ହେବା ବଦଳରେ ଏଥିରୁ ସେ ବଞ୍ଚିତ ହୋଇଛନ୍ତି। ଶେଷରେ ନିଜ ବାପାଙ୍କ ସହ ଆସି ଜିଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି।