ସ୍ବାମୀଙ୍କୁ ଖୋଜିବାକୁ ଯାଇ ମହିଳା ନିଖୋଜ

ରାୟପୁର, ୧୭।୨:ମାଓବାଦୀଙ୍କ ଦ୍ୱାରା ଅପହୃତ ଇଞ୍ଜିନିୟର ସ୍ବାମୀଙ୍କୁ ଖୋଜିବାକୁ ଯାଇ ମହିଳା ନିଖୋଜ ହୋଇଯାଇଛନ୍ତି। ଛତିଶଗଡ଼ ରାଜଧାନୀ ରାୟପୁରରେ ଘଟିଛି ଏହି ଘଟଣା। ଗତ ୧୧ ତାରିଖରେ ମାଓବାଦୀମାନେ କାର୍ଯ୍ୟରତ ଇଞ୍ଜିନିୟର ଅଶୋକ ପାଓ୍ବାର ଏବଂ ସହକର୍ମୀ ଆନନ୍ଦ ଯାଦବଙ୍କୁ ଅପହରଣ କରି ନେଇଥିଲେ। ଏହାର ସୂଚନା ପାଇ ଅଶୋକଙ୍କ ସ୍ତ୍ରୀ ସୋନାଲି ପାଓ୍ବାର ସ୍ବାମୀଙ୍କୁ ମୁକ୍ତ କରିବା ଲାଗି ମାଓବାଦୀଙ୍କ ଉଦ୍ଦେଶ୍ୟରେ ଏକ ଭାବାବେଗ ଭରା ଭିଡିଓ ଜାରି କରିଥିଲେ। କିନ୍ତୁ ସ୍ବାମୀଙ୍କୁ ମାଓବାଦୀ ନ ଛାଡ଼ିବା ପରେ ସୋନାଲି ନିଜେ ସ୍ବାମୀଙ୍କୁ ଉଦ୍ଧାର କରିବା ପାଇଁ ଅଢେଇ ବର୍ଷର ଝିଅକୁ ସାଥିରେ ନେଇ ବାହାରିପଡ଼ିଥିଲେ ବିଜାପୁର-ନାରାୟଣପୁର ଜିଲା ଅନ୍ତର୍ଗତ ଅବୁଝମଦ ଘଞ୍ଚ ଜଙ୍ଗଲ ମଧ୍ୟକୁ। ବିଜାପୁର ଜିଲା ଇନ୍ଦ୍ରାବତୀ ବ୍ରିଜ୍‌ ନିର୍ମାଣ କାର୍ଯ୍ୟ କରୁଥିବା ଏକ ଘରୋଇ ସଂସ୍ଥାରେ ଦୁହେଁ କାର୍ଯ୍ୟ କରୁଥିଲେ। ମାଓବାଦୀମାନେ ସେମାନଙ୍କର କୌଣସି କ୍ଷତି କରି ନ ଥିବା ଜଣାପଡ଼ିଛି। ମାଓବାଦୀ ମଙ୍ଗଳବାର ସନ୍ଧ୍ୟାରେ ଅଶୋକ ଓ ଆନନ୍ଦଙ୍କୁ ଛାଡିବା ବେଳେ ସେମାନଙ୍କୁ ୨-୨ ହଜାର ଟଙ୍କା ଦେଇଥିବା ପୋଲିସଙ୍କୁ କହିଛନ୍ତି ଆନନ୍ଦ। ବର୍ତ୍ତମାନ ବିଜାପୁର କୁଟରୁରେ ଦୁହିଁଙ୍କୁ ରଖାଯାଇଥିବା ସ୍ଥାନୀୟ ଏଏସ୍‌ପି ପଙ୍କଜ ଶୁକ୍ଳା କହିଛନ୍ତି। ବର୍ତ୍ତମାନ ସୁଦ୍ଧା ସୋନାଲି ଓ ତାଙ୍କ ଝିଅଙ୍କ କୌଣସି ପତ୍ତା ମିଳୁ ନ ଥିବାବେଳେ ଖୁବ୍‌ଶୀଘ୍ର ସେ ସ୍ବାମୀଙ୍କୁ ଭେଟିବା ପାଇଁ କୁଟରୁ ଆସିବେ ବୋଲି କହିଛନ୍ତି ପୋଲିସ ଅଧିକାରୀ। ସୋନାଲିଙ୍କର ଦୁଇ ଝିଅ ଥିବାବେଳେ ସାନ ଝିଅଙ୍କୁ ନେଇ ସେ ସ୍ବାମୀଙ୍କୁ ଖୋଜିବା ପାଇଁ ଜଙ୍ଗଲକୁ ଯାଇଥିବାବେଳେ ବଡ ଝିଅ ତାଙ୍କ ପରିବାର ସହ ଅଛନ୍ତି।

Share