ବିଡିଓଙ୍କୁ ଘେରିଲେ ମହିଳା

ଲୋଇସିଂହା,୪ା୮(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ସହରକୁ ଗତ ୩ଦିନ ହେଲା ପାନୀୟ ଜଳଯୋଗାଣ ବନ୍ଦ ରହିଛି। ଲକ୍ଷାଧିକ ବିଦ୍ୟୁତ୍‌ ବିଲ୍‌ ବକେୟା ଥିବାରୁ ଏହା ପୂର୍ବରୁ ଗୋଟାଏ ମାସ ଧରି ମଧ୍ୟ ବନ୍ଦ ରହିଥିଲା। ଏହାର ପ୍ରତିବାଦରେ ବିଡିଓ ବିଜୟ କୁମାର ହୋତାଙ୍କୁ ଜଳ ଯୋଗାଣ ଦାବିରେ ବ୍ଲକ କାର୍ଯ୍ୟାଳୟରେ ସ୍ଥାନୀୟ ମହିଳା ଘେରାଉ କରିଥିଲେ।  ବିଡିଓ କହିଥିଲେ, ପ୍ରକଳ୍ପର ମୋଟର ଅଚଳ ହୋଇପଡ଼ିଛି। ଯୁଦ୍ଧକାଳୀନ ଭିତ୍ତିରେ ମରାମତି ଚାଲିଛି। ଆଜି ସୁଦ୍ଧା ଜଳଯୋଗାଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଆଦୌ କେତେକ ଅଞ୍ଚକକୁ ପାନୀୟ ଜଳ ଯାଉ ନ ଥିବା ଆଭିଯୋଗ ପାଇଁ କ୍ଷେତ୍ର ପରିଦର୍ଶନ କରି ସମସ୍ୟାର ସମାଧାନ କରାଯିବ ବୋଲି ବିକ୍ଷୋଭକାରୀ ମହିଳାଙ୍କୁ କହିଥିଲେ। ଲୋଇସିଂହା ସହରକୁ ସୁକତେଲ ନଦୀରୁ ଜଳଯୋଗାଣ ହେଉଛି। ହେଲେ ଫାସଡ ପମ୍ପଗୃହ ଓ ସ୍ଥାନୀୟ ଜଳଯୋଗାଣ ପ୍ରକଳ୍ପର ୨୨ ଲକ୍ଷରୁ ଅଧିକ ବିଦ୍ୟୁତ ବିଲ୍‌ ବକେୟା ପଡ଼ିଛି। ବକେୟା ବିଲ୍‌ ଦାବିରେ ବିଦ୍ୟୁତ୍‌ ବିଭାଗ ପକ୍ଷରୁ ଗତ ଜୁଲାଇ ମାସରେ ପ୍ରକଳ୍ପର ବିଦ୍ୟୁତ ସରବରାହ ବିଚ୍ଛିନ୍ନ କରାଯାଇଛି। ସ୍ଥାନୀୟ ପଞ୍ଚାୟତ କର୍ତ୍ତୃପକ୍ଷ ପାନୀୟ ପ୍ରକଳ୍ପ ଓ ଷ୍ଟ୍ରିଟ୍‌ ଲାଇଟ ବାବଦ ୫ ଲକ୍ଷ ଟଙ୍କା ବିଦ୍ୟୁତ୍‌ ବିଭାଗ ପାଖରେ ପୈଠ କରାଯାଇଛି। ଏହାସତ୍ତ୍ୱେ ବିଦ୍ୟୁତ୍‌ ସଂଯୋଗ ଦିଆଯାଇନାହିଁ। କିଛିଦିନ ତଳେ ମହିଳା ସଂଗଠନ ପକ୍ଷରୁ ଆନ୍ଦୋଳନ ଚେତାବନୀ ଦିଆଯାଇଥିଲା। ଏହା ପରେ ବୁର୍ଡ଼ା ପ୍ରକଳ୍ପ ମୋଟରରୁ ଲୋଇସିଂହା ଓ ବୁର୍ଡାକୁ ଜଳଯୋଗାଣ କରାଯାଉଥିଲା। ହେଲେ ପ୍ରକଳ୍ପ ମୋଟର ଅଚଳ ହୋଇପଡ଼ିଥିବାରୁ ଜଳଯୋଗାଣ ବାଧାପ୍ରାପ୍ତ ହୋଇଛି। ଏହି ଅବସରରେ ସ୍ଥାନୀୟ ସମିତି ସଭ୍ୟ ଏବଂ ବର୍ତ୍ତମାନ ସରପଞ୍ଚ ମୁହାଁମୁହିଁ ହୋଇଥିଲେ।