ଗାଜିଆବାଦ,୧୩।୧୦: ଉତ୍ତରପ୍ରଦେଶର ଗାଜିଆବାଦ ଜିଲାରେ ସ୍ବାମୀଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ରଚିଥିବା ଅଭିଯୋଗରେ ପୋଲିସ ମୃତକଙ୍କ ସ୍ତ୍ରୀ ଓ ତାଙ୍କ ପ୍ରେମିକଙ୍କୁ ଗିରଫ କରିଛି। ଖୋଡ଼ା ଥାନା ଅନ୍ତର୍ଗତ ବନ୍ଦନା ବିହାର କଲୋନୀରେ ଏହି ଘଟଣା ଘଟିଛି। ଘରେ ପଶି ଗୁଳି କରି ହତ୍ୟା କରାଯାଇଥିବା ଏହି ମାମଲାର ମାତ୍ର ୧୨ ଘଣ୍ଟା ମଧ୍ୟରେ ପୋଲିସ ଖୁଲାସା କରିଥିବା ଜଣାପଡ଼ିଛି।
ପୋଲିସ ସୂଚନା ଅନୁଯାୟୀ, ମୃତକ ହେଉଛନ୍ତି ଅଂଶୁଲ। ସେ ଏକ ରପ୍ତାନି କମ୍ପାନୀରେ ସିଲେଇ କାରିଗର ଭାବେ କାମ କରୁଥିଲେ। ରବିବାର ଘରେ ଥିବା ସମୟରେ ତାଙ୍କୁ ଗୁଳି କରାଯାଇଥିଲା। ଘଟଣାର ସୂଚନା ପାଇବା ପରେ ପୁଲିସ ତଦନ୍ତ ଆରମ୍ଭ କରି ମାମଲାରେ ତାଙ୍କ ପତ୍ନୀ ନିଶା ଏବଂ ପପ୍ପୁ ଓରଫ ଗଙ୍ଗା ଭଗତଙ୍କ ସମ୍ପୃକ୍ତି ଥିବା ଅଭିଯୋଗରେ ଉଭୟଙ୍କୁ ଗିରଫ କରିଛି।
ପୋଲିସର କହିବା ଅନୁଯାୟୀ, ନିଶା ଓ ପପ୍ପୁଙ୍କ ମଧ୍ୟରେ ପ୍ରାୟ ଦୁଇ ବର୍ଷ ଧରି ପ୍ରେମ ସମ୍ପର୍କ ଥିବା ଅଭିଯୋଗ ରହିଛି। ପପ୍ପୁ ନିଶାଙ୍କ ସମ୍ପର୍କୀୟ ନଣଦେଇ ବା ନଣଦଙ୍କ ସ୍ବାମୀ। ଏହି ସମ୍ପର୍କ ବିଷୟରେ ଅଂଶୁଲ ଜାଣିବା ପରେ ଏହାକୁ ବିରୋଧ କରିଥିଲେ। ଏହାକୁ ନେଇ ଘରେ ବାରମ୍ବାର ଝଗଡ଼ା ହେଉଥିବା ପୋଲିସ ତଦନ୍ତରୁ ଜଣାପଡ଼ିଥିବା କହିଛି। ପୋଲିସର ଅଭିଯୋଗ ଅନୁସାରେ, ଏହା ପରେ ନିଶା ଓ ପପ୍ପୁ ମିଶି ଅଂଶୁଲଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ।
ଏସିପି ଇନ୍ଦିରାପୁରମ ସୂର୍ଯ୍ୟବଳୀ ମୌର୍ଯ୍ୟଙ୍କ ସୂଚନା ଅନୁଯାୟୀ, ନିଶାଙ୍କ କଥାରେ ପପ୍ପୁ ହତ୍ୟା କରିବାକୁ ରାଜି ହୋଇଥିଲେ। ଅଂଶୁଲ ଛୁଟିଦିନରେ ଘରେ ଏକୁଟିଆ ଥିବା ସମୟରେ ତାଙ୍କୁ ହତ୍ୟା କରିବାକୁ ଯୋଜନା ହୋଇଥିଲା।
ଏଥିପାଇଁ ପପ୍ପୁ ନିଜ ଗାଁକୁ ଯାଇ ୩୧୫ ବୋର୍ର ଏକ ଦେଶୀ ବନ୍ଧୁକ କିଣିଥିବା ପୋଲିସ କହିଛି। ଯୋଜନା ଅନୁସାରେ, ରବିବାର ଅଂଶୁଲ ଘରେ ଥିବାବେଳେ ପପ୍ପୁ ଲୁଚିଛପି ଘରେ ପଶି ଅଂଶୁଲଙ୍କୁ ଗୁଳି କରିଥିବା ଅଭିଯୋଗ ହୋଇଛି।
ଘଟଣା ପରେ ପୋଲିସ ସୁରାକ ଖୋଜି ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିଛି। ତେବେ ମାମଲାର ସମସ୍ତ ତଥ୍ୟ ଓ ଅଭିଯୋଗର ସତ୍ୟତା ଆଇନଗତ ତଦନ୍ତ ଓ ନ୍ୟାୟିକ ପ୍ରକ୍ରିୟାରେ ସ୍ପଷ୍ଟ ହେବ।