ଝାରସୁଗୁଡ଼ା/ଲୋଇସିଂହା, ୮ା୭ (ଆଶିଷ ରଞ୍ଜନ ଦାଶ/ ସୁଶାନ୍ତ ବାରିକ):ବିବାହ ବେଦୀରେ ସାତଜନ୍ମର ସାଥୀ ହୋଇ ବାଟ ଚାଲିବା ପାଇଁ ନିଷ୍ପତ୍ତି ନେଇଥିଲେ। ହେଲେ ସ୍ବାମୀଙ୍କ ଆକସ୍ମିକ ମୃତ୍ୟୁଖବର ଶୁଣିବା ପରେ ନିଜକୁ ଅସହାୟ ମନେକରି ଦୁଃଖରେ ଭାଙ୍ଗିପଡ଼ିଲେ। ଶେଷରେ କିଛି ନିଷ୍ପତ୍ତି ନେବା ପୂର୍ବରୁ ଚଳନ୍ତା ହାଇଓ୍ବା ଆଗକୁ ଡେଇଁ ଜଣେ ମହିଳା ପ୍ରାଣ ହରାଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଝାରସୁଗୁଡ଼ା ଜିଲାରେ ଦେଖିବାକୁ ମିଳିଛି। ପୋଲିସ ସୂଚନା ଅନୁଯାୟୀ, ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ୍ ବାଦୀବାହାଲ ଗ୍ରାମର ରାଜକୁମାର ନାଗ ଝାରସୁଗୁଡ଼ା ସହରର ଏକାତାଳି ଅଞ୍ଚଳରେ ଘର ଭଡାନେଇ ରହୁଥିଲେ। ଏଥିସହ ସେ ସେଠାରେ ଏକ ମାଇକ୍ରୋଫାଇନାନ୍ସ କମ୍ପାନୀରେ ଏରିଆ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ। ସୋମବାର ରାତିରେ ସେ ଖାଇସାରିବା ପରେ ଏକାଧିକ ଥର ବାନ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ରାତି ପ୍ରାୟ ୧ଟା ୩୦ ମିନିଟ୍ରେ ତାଙ୍କ ସହଯୋଗୀମାନେ ତାଙ୍କୁ ସ୍ଥାନୀୟ ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ମଙ୍ଗଳବାର ସକାଳେ ମୃତଦେହ ବ୍ୟବଚ୍ଛେଦ ପାଇଁ ଝାରସୁଗୁଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଅପରପକ୍ଷରେ ରାଜକୁମାରଙ୍କ ମୃତ୍ୟୁ ଖବର ପାଇବା ପରେ ତାଙ୍କ ସ୍ତ୍ରୀ ମୀରା ନାଗ ଓ ପରିବାର ଲୋକେ ଏକ ଗାଡ଼ିରେ ବାଦୀବାହାଲ ଗ୍ରାମରୁ ଝାରସୁଗୁଡା ଅଭିମୁଖେ ବାହାରିଥିଲେ। ମାତ୍ର ବିଜୁ ଏକ୍ସପ୍ରେସ୍ ୱେର ବଡ଼ମାଲ ଥାନା ନିକଟରେ କୌଣସି କାରଣରୁ ଗାଡ଼ିଟି ଅଟକିଥିଲା। ଗାଡ଼ିରୁ ସମସ୍ତେ ବାହାରକୁ ବାହାରିଥିଲେ। ହେଲେ ଏହି ସମୟରେ ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିବା ମୀରା ଉକ୍ତ ରାସ୍ତାରେ ଆସୁଥିବା ଏକ ହାଇୱା ସମ୍ମୁଖକୁ ହଠାତ୍ ଡେଇଁ ପଡ଼ିଥିଲେ। ଫଳରେ ହାଇଓ୍ବା ଚକ ତାଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।