Categories: ଫୁରସତ

ଦଉଡି ଉପରେ ଚାଲିପାରନ୍ତି ପୂରା ଗାଁ

ବିଭିନ୍ନ ମେଳା ମହୋତ୍ସବରେ ବହୁ ଉଚ୍ଚତାରେ ବନ୍ଧା ଯାଇଥିବା ଦଉଡି ଉପରେ ଚାଲୁଥିବା କୁନି କୁନି ଝିଅ, ପୁଅ, ମହିଳାଙ୍କୁ ଦେଖିବାର ମଜା ଅଲଗା। ବଡ ଆଶ୍ଚର୍ଯ୍ୟ ଲାଗେ ସନ୍ତୁଳନ ରକ୍ଷା କରି କିଭଳି ସେମାନେ ସରୁ ଦଉଡି ଉପରେ ଚାଲନ୍ତି। ଏଥିରେ ଜୀବନ ପ୍ରତି ବିପଦ ବି ଥାଏ। ତେଣୁ ସମସ୍ତଙ୍କ ପକ୍ଷେ ଏଭଳି କରିବା ସମ୍ଭବ ନୁହେଁ। ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ ଋଷୀୟାରେ ଏକ ଗାଁ ଅଛି, ଯେଉଁଠି ପିଲାଠୁ ବୁଢାଯାଏଁ ସମସ୍ତେ ଦଉଡି ଉପରେ ଚାଲିବା କଳାରେ ମାହିର ଅଟନ୍ତି। ଏହି ଗାଁର ନାମ ହେଉଛି ସୋଓ୍ବାକ୍ରା-୧। କେବେଠାରୁ ଏହି ଗାଁରେ ଉକ୍ତ କଳାର ଆରମ୍ଭ ତାହା ସଠିକ୍‌ଭାବେ ଜଣା ନାହିଁ। ତେବେ ବିଶ୍ୱାସ କରାଯାଏ ପ୍ରାୟ ୧୦୦ ବର୍ଷ ହେବ ଏହି ଧାରା ଚାଲି ଆସିଛି। ଏଥିପାଇଁ ଏଠାକାର କିଛି ଲୋକ ସର୍କସରେ କାମ କରିବାର ସୁଯୋଗ ବି ପାଇଛନ୍ତି। ଅନେକେ କହନ୍ତି, ଏହି ଅଞ୍ଚଳ ପାହାଡ ଘେରରେ ରହିଛି। ଏଠାକାର ଅନେକ ରାସ୍ତା ଦୁର୍ଗମ ଅଞ୍ଚଳ ଦେଇ ଯାଇଛି। ତେଣୁ ଦଉଡି ଉପରେ ଯିବା ଏକ ଭଲ ବିକଳ୍ପ। ତାଛଡା ବେଳେବେଳେ ତୋଫାନରେ ଅସ୍ଥାୟୀ ପୋଲ ଓ ରାସ୍ତା ଭାଙ୍ଗିଯାଏ। ନଦୀ ପାର ହେବା କଷ୍ଟକର ହୋଇଯାଏ। ସେତେବେଳେ ଦଉଡି ଉପରେ ଚାଲିଯିବା ଏକମାତ୍ର ପନ୍ଥା ପାଲଟେ। ଏହାବାଦ ଏଠାରେ ଚାଷବାସ ବି ହୁଏନା। ତେଣୁ ଏହି କଳା ଶିଖି ସେମାନେ କିଛିଟା ରୋଜଗାରକ୍ଷମ ହୋଇପାରନ୍ତି।

Share