ପଥୁରିବାଟିର ଚେତାବନୀ

ନବ୍ୟ ଆଧୁନିକତାର ପ୍ରବାହ ମଧ୍ୟରେ ପୁରୁଣା କାଳର ଯେଉଁ କେତେକ ଦ୍ରବ୍ୟ ବିସ୍ମୃତିର ଅତଳ ଗର୍ଭରେ ହଜିଯାଇଛି, ତନ୍ମଧ୍ୟରୁ ପଥୁରିବାଟି ବା ପଥରରେ ନିର୍ମିତ ବାସନ ଅନ୍ୟତମ। ସାମ୍ପ୍ରତିକ ସମାଜର ବେଶ୍‌ ଭାଗ ଲୋକ, ବିଶେଷତଃ ଯୁବାବର୍ଗ ଏହି ଚିଜଟିକୁ ଦେଖିବା ତ ଦୂରର କଥା, ଏଇ ଶବ୍ଦଟିକୁ କାନରେ ବି କେବେ ଶୁଣି ନ ଥିବେ। ତେବେ ଅତୀତରେ ପଥୁରିବାଟିକୁ ନେଇ ଲେଖା ହୋଇଥିବା ଏକ କ୍ଷୁଦ୍ର ଗଳ୍ପର କାଳଜୟୀ ପ୍ରଭାବ ଏବେବି ଚମକ ସୃଷ୍ଟି କରିବାର ସାମର୍ଥ୍ୟ ରଖିଛି। ଅବଶ୍ୟ ଏକଥା ଭିନ୍ନ ଯେ, ଅତୀତକୁ ସମ୍ପୂର୍ଣ୍ଣ ବିସ୍ମରି ଯାଇ ଓ ଭବିଷ୍ୟତର ଆଶଙ୍କାରେ ଆତଙ୍କିତ ନ ହୋଇ କେବଳ ବର୍ତ୍ତମାନରେ ବଞ୍ଚୁଥିବା ଲୋକମାନଙ୍କ ପାଇଁ ସେ କାଳରେ ଯେମିତି ଗଳ୍ପଟିର କିଛି ପ୍ରଭାବ ନ ଥିଲା, ଏ କାଳରେ ମଧ୍ୟ ସେମିତି କିଛି ପ୍ରଭାବ ନାହିଁ।
ନିଜ ପତ୍ନୀ ଓ ପୁତ୍ରଙ୍କ ସହ କଂସାବାସନ ଓ ରୁପା ଚାମଚରେ ଖାଇ ନିଜ ବୃଦ୍ଧ ପିତାଙ୍କୁ ଏକ ପୁରୁଣା ପରିତ୍ୟକ୍ତ ପଥୁରିବାଟିରେ ଖାଇବାକୁ ଦେଉଥିବା କୁଳନନ୍ଦନ ଥରେ ଏକ ନିଷ୍ଠୁର ସତ୍ୟର ସାମ୍‌ନା କଲେ। ତାଙ୍କୁ ଦିଆଯାଇଥିବା ପଥୁରିବାସନର ଖାଦ୍ୟ ଖାଇସାରି ଅଇଁଠା ବାସନଟି ଧୋଇବାକୁ ଯାଉଥିବା ବେଳେ ଅଚାନକ ଗୋଡ଼ ଖସି ବୃଦ୍ଧ ଜଣକ ପଡ଼ି ଯାଉ ଯାଉ ଛିଡ଼ା ହୋଇଗଲେ। ତାଙ୍କର ଏମନ୍ତ ଅବସ୍ଥା ଲକ୍ଷ୍ୟ କରୁଥିଲେ ପୁଅ, ବୋହୂ ଓ ଆଠବର୍ଷର କଅଁଳ କିଶୋର ନାତିଟି। ନିଜ ମା’ବାପାଙ୍କୁ କିଛି କହିବାକୁ ନ ଦେଇ ଜେଜେଙ୍କୁ ତାଗିଦା କରିଦେଲା ନାତି- ”ଭଲ କରି ପଥୁରିବାଟିଟିକୁ ସାଇତି ରଖ ଜେଜେ, ଯେମିତି ତାହା ଭାଙ୍ଗି ନ ଯାଏ। ତୁମ ଅନ୍ତେ ମୋ ବାପା ଯେତେବେଳେ ତୁମ ପରି ବୁଢ଼ା ହୋଇଯିବେ, ସେତେବେଳେ ମୁଁ ବି ତାଙ୍କୁ ସେଇ ବାସନରେ ଖାଇବାକୁ ଦେବି!“ ନିଜ ପୁଅ ମୁହଁରୁ ଏକ ସମୁଚିତ ସମ୍ଭାବନାର ଆଭାସ ପାଇ ବାପାଙ୍କ ଆଖିରେ ଅତୀତ ଶୈଶବ ଓ ଭବିଷ୍ୟତ ବାର୍ଦ୍ଧକ୍ୟର ପ୍ରତିବିମ୍ବ ଉତ୍ତୋଳିତ ହେଲା କି ନାହିଁ କେଜାଣି, ମାତ୍ର କେଉଁ କାଳର ପ୍ରଚଳିତ ଏକ ଆପ୍ତବାଣୀ ରହି ରହି ତାଙ୍କ କର୍ଣ୍ଣପଟରେ ନିଃଶବ୍ଦରେ ପ୍ରତିଧ୍ୱନିତ ହେଉଥିଲା- ”ତଳ ବରଡ଼ା ଖସୁଛି, ଉପର ବରଡ଼ା ହସୁଛି, ମଝି ବରଡ଼ା ଥାଇ କହୁଛି ମୋ ଦିନକାଳ ଆସୁଛି!“
ଯେଉଁଦିନରୁ ମା’ବାପା, ଭାଇଭଉଣୀ ଓ ପୁତ୍ରକନ୍ୟାଙ୍କୁ ନେଇ ଗଠିତ ପରିବାରର ପରିଭାଷା ବଦଳିଯାଇ ପତ୍ନୀପତି ଦୁହେଁ ସେମାନଙ୍କ ପିଲାଛୁଆଙ୍କୁ ନେଇ ପରିବାର ଗଢ଼ିଲେଣି, ସେଦିନରୁ ଆମ ସଂସ୍କାର ଓ ସଂସ୍କୃତିର ସଂଜ୍ଞା ମଧ୍ୟ ବଦଳିଗଲାଣି। ମା’ବାପାଙ୍କ ସହ ସାଙ୍ଗ ହୋଇ ରହିବା ଅବା ସେମାନଙ୍କୁ ଆଣି ପାଖରେ ରଖିବା ଆଧୁନିକ ଜୀବନଧାରାର ପରିପନ୍ଥୀ ଭାବେ ବିବେଚିତ ହେଲାଣି। ବାସ୍‌, କେବଳ ପତ୍ନୀପତି ଓ ସେମାନଙ୍କ ସନ୍ତାନଟିକୁ ନେଇ ସଂସାର ସୀମିତ ହୋଇଗଲାଣି। ମା’ବାପା ନାମକ ଅବାଞ୍ଛିତ ବୋଝ ବୋହି ସଂସାର ସଡ଼କରେ ଆଗକୁ ବଢ଼ିବା ଏକ ପ୍ରଗତିଶୀଳ ଜୀବନର ପରିଭାଷା ରୂପେ ପରିଗଣିତ ହେଉନାହିଁ। ପରିଣାମ ହେଉଛି ଅତ୍ୟନ୍ତ ପ୍ରତ୍ୟାଶିତ। କେଉଁଠି ସକଳ ସମ୍ପତ୍ତି ସତ୍ତ୍ୱେ ବି କେଉଁ ବୃଦ୍ଧାଶ୍ରମ ବୁଢ଼ାବୁଢ଼ୀ ଦୁହିଁଙ୍କ ଠିକଣା ପାଲଟିଲାଣି ତ ଅନ୍ୟ କେଉଁଠି ନିଜ ଆତ୍ମଜମାନଙ୍କ ଅବର୍ତ୍ତମାନରେ ଭଡ଼ାଟିଆମାନଙ୍କ ଦ୍ୱାରା ବୁଢ଼ାବୁଢ଼ୀ ଦୁହେଁ କେତେବେଳେ ହସ୍ପିଟାଲ ତ କେବେ ପୁଣି ଶ୍ମଶାନ ବୁହାହେଲେଣି।
ରାଜଧାନୀ ନଗରୀର ଏକ ସମ୍ଭ୍ରାନ୍ତ ଇଲାକାରେ ଏକ ସୁଦୃଶ୍ୟ ଦ୍ୱିତଳ ପ୍ରାସାଦର ମାଲିକ ଥିଲେ ଜଣେ ଅବସରପ୍ରାପ୍ତ ଉପସଚିବ। ଦିନେ କେବେ ଦୁଇ ପୁଅ ଓ ଦୁଇ ଝିଅଙ୍କୁ ନେଇ ସୁଖୀ ସଂସାରଟିଏ ଥିଲା ତାଙ୍କର। ମାତ୍ର କାଳକ୍ରମେ ଯିଏ ଯାହା ସଂସାର ବାନ୍ଧି ନିଜ ନିଜ ସ୍ଥାନକୁ ଚାଲିଗଲା ପରେ ବୁଢ଼ାବୁଢ଼ୀ ଦୁହେଁ ଘରର ତିନିଭାଗ ଭଡ଼ା ଲଗାଇ ଗୋଟିଏ ଭାଗରେ ରହୁଥିଲେ। ଏମିତି କେଇବର୍ଷ ଚାଲିଲା ପରେ ଦିନେ ବୁଢ଼ା ଅସୁସ୍ଥ ହୋଇପଡ଼ିଲେ। ଦୂରରେ ଥିବା ଝିଅପୁଅମାନଙ୍କୁ ଖବର ପଠାଇ ଭଡ଼ାଟିଆମାନେ ଗୃହସ୍ବାମୀଙ୍କୁ ନେଇ ହସ୍ପିଟାଲ ପହଞ୍ଚାଇଦେଲେ। ତିନିଦିନଯାଏ ମୃତ୍ୟୁ ସହ ସଂଗ୍ରାମ କରି ବୁଢ଼ା ସବୁଦିନ ପାଇଁ ଆଖି ବୁଜିଦେଲା ପରେ ପିଲାଏ ଆସି ପହଞ୍ଚତ୍ଲେ। ପିତାଙ୍କର ଶେଷକୃତ୍ୟ ସମ୍ପନ୍ନ ପରେ ଆଉ ଅଧିକ ସମୟ ଶୋକ ପ୍ରକାଶ କରିବାକୁ ସେମାନଙ୍କର ସମୟ ନ ଥିଲା। ପୁଅ-ବୋହୂ, ଝିଅ-ଜ୍ୱାଇଁଙ୍କୁ ନେଇ ସଭାଟିଏ ବସିଲା। ସର୍ବସମ୍ମତିକ୍ରମେ ସ୍ଥିର ହେଲା ଯେ କୋଠାଟିକୁ ବିକ୍ରି କରିଦିଆଯିବ ଏବଂ ଉପଲବ୍ଧ ଅର୍ଥକୁ ସମାନ ଭାବେ ବାଣ୍ଟିନେବେ ସ୍ବର୍ଗତ ପିତାଙ୍କ ଚାରି ସନ୍ତାନ। ବିଧବା ମାଆ ବି ବଣ୍ଟା ହୋଇଯିବେ ସମାନ ଭାବେ, ଜଣଙ୍କଠି ତିନିମାସ ଲେଖାଏଁ। ଏପରି ଏକ ନିଷ୍ଠୁର ନିଷ୍ପତ୍ତିରେ ସମ୍ମତ ହୋଇ ନିଜକୁ କ୍ୟାଲେଣ୍ଡର ପୃଷ୍ଠା ମଧ୍ୟରେ ବାଣ୍ଟିବାକୁ ଚାହିଁଲେ ନାହିଁ ମାଆ। ଶେଷରେ ମାଆକୁ ପରିତ୍ୟାଗ କରି ନିଜ ନିଜ ସ୍ଥାନକୁ ବାହୁଡ଼ିଗଲେ ପୁଅଝିଅମାନେ। ଅତ୍ୟନ୍ତ ଅସହାୟ ଭାବେ ଏକାକିନୀ ପଡ଼ିରହିଲେ ମାଆ।
ଆଉ ଜଣେ ହାତଭାଗ୍ୟ ପିତାଙ୍କର କଥା। ବୃତ୍ତିରେ ଇଞ୍ଜିନିୟର ଥିବା ଏଇ ପିତା ନିଜ ପରିବାର ପାଇଁ ସକଳ ପ୍ରକାର ସମୃଦ୍ଧି ସାଉଁଟି ଆଣିଥିଲେ। ନିଜର ଏକମାତ୍ର ପୁଅକୁ ଡାକ୍ତର କରିଥିଲେ। ବହୁଦିନର ସ୍ବପ୍ନକୁ ଚରିତାର୍ଥ କରି ନୀଳାଚଳ ଶ୍ରୀକ୍ଷେତ୍ରରେ ଏକ ସୁରମ୍ୟ ପ୍ରାସାଦ ନିର୍ମାଣ କରିଥିଲେ। ଅଥଚ ଯେଉଁଦିନ ଗୃହପ୍ରବେଶ ପାଇଁ ପୂଜାପାଠ ସହ ପ୍ରତିଷ୍ଠା ଉତ୍ସବ ଚାଲିଛି, ସେଦିନ ଆକସ୍ମିକଭାବେ ହୃଦ୍‌ରୋଗରେ ଆକ୍ରାନ୍ତ ହୋଇ ଦୁନିଆରୁ ବିଦାୟ ନେଇଗଲେ। ଅବସର ଜୀବନ ଜଗନ୍ନାଥ ଧାମରେ ବିତାଇବା ପାଇଁ ବହୁଦିନର ସଞ୍ଚିତ ସ୍ବପ୍ନର ଅପମୃତ୍ୟୁ ଘଟିଲା। ଏକ ଶୋକାକୁଳ ପରିବେଶରେ ଅନ୍ତ୍ୟେଷ୍ଟି ସମ୍ପନ୍ନ ପାଇଁ ସ୍ବର୍ଗଦ୍ୱାର ନେଇଯିବା ପୂର୍ବରୁ ବାପାଙ୍କ ମୃତଦେହକୁ ନୂଆ ଘର ମଧ୍ୟରେ ଟିକିଏ ବୁଲାଇ ଆଣିଲେ ତାଙ୍କ ଆମତ୍ା ଶାନ୍ତି ପାଇବ ବୋଲି ବିଧବା ମାଆ ତାଙ୍କର ଏକମାତ୍ର ପୁଅକୁ ପରାମର୍ଶ ଦେଲେ। ଗର୍ଜି ଉଠିଲେ ଡାକ୍ତର ପୁଅ ଓ ତାଙ୍କ ଡାକ୍ତରାଣୀ ପନତ୍ୀ। କହିଲେ- ”ନୂଆ ଘର ପ୍ରତିଷ୍ଠା ହେବା ପୂର୍ବରୁ ଏମିତି ଅଘଟଣ। ତହିଁରେ ଗୋଟିଏ ମୃତ ଶରୀରକୁ ଚାରିଆଡ଼େ ବୁଲାଇ ଆଣିଲେ ଏ ଘରେ ମଣିଷ ରହିବ ତ!“ ଅଥଚ ଶବ ପାଲଟି ନୀରବରେ ଶୋଇ ଯାଇଥିବା ସେଇ ମଣିଷଟି କିଛି ସମୟ ପୂର୍ବରୁ ଥିଲେ ସେଇ ଘରର ମାଲିକ ଓ ତାଙ୍କ ଗୃହପ୍ରବେଶକୁ ନେଇ ପ୍ରତିବାଦ ପ୍ରକଟ କରୁଥିବା ଏଇ ପୁତ୍ରର ପିତା! ବିମ୍ବିସାର ଓ ଅଜାତଶତ୍ରୁଙ୍କ କାହାଣୀରେ ଆଉ କି ଅଧିକ ରୋମାଞ୍ଚ ଅଛି ଯେ!
କାହିଁକି ଘଟୁଛି ସଂସ୍କାରସିଦ୍ଧ ସମ୍ପର୍କରେ ଏ ପ୍ରକାର ବିଘଟନ। ବାର୍ଦ୍ଧକ୍ୟରେ ଭୋଗିବାକୁ ପଡୁଛି ଯାବତୀୟ ଅବହେଳା, ସହିବାକୁ ପଡୁଛି ପୁଅବୋହୂଙ୍କ କଡ଼ା କଥାର ଅପମାନ। ପୁଣି ମରିଗଲା ପରେ ବି ନିସ୍ତାର ନାହିଁ। ଜଣେ ଚାଲିଗଲେ ଅନ୍ୟ ଜଣଙ୍କ ପାଇଁ କଷଣର ଶେଷ ନାହିଁ। କଷଣ ଦେଉଥିବା ଆତ୍ମଜମାନଙ୍କୁ ବାର୍ଦ୍ଧକ୍ୟ କ’ଣ ସ୍ପର୍ଶ କରିବ ନାହିଁ? ସେତେବେଳେ ସେମାନଙ୍କ ସନ୍ତାନଠୁଁ ଏମିତି ବ୍ୟବହାର ସେମାନଙ୍କୁ ମିଳିଲେ କେମିତି ହେବ ସେମାନଙ୍କୁ ଅନୁଭବ। ବିଡ଼ମ୍ବନାର ବିଷୟ ଯେ, ବର୍ତ୍ତମାନରେ ବଞ୍ଚୁଥିବା ଲୋକେ ଏଇ ସତ୍ୟଟିକୁ ବିସ୍ମରିଯାଆନ୍ତି। ନିଜ ଜନ୍ମଦାତାଙ୍କ ପ୍ରତି ସେମାନେ କରୁଥିବା ଅବିଚାର ଯେ ସୁଧ ସହ ସେମାନଙ୍କ ପାଖକୁ ଲେଉଟି ଆସିବ, ଏକଥା ମନରୁ ପାସୋରିପକାନ୍ତି।
ଲକ୍ଷ୍ୟ କରିବାର କଥା , ଉଲ୍ଲିଖିତ ଦୁଇଟିଯାକ ଘଟଣାର ଅଭାବିତ ଦୃଶ୍ୟପଟକୁ ଅତ୍ୟନ୍ତ ଗମ୍ଭୀରତାର ସହ ଅବଲୋକନ କରୁଥିଲେ ତୃତୀୟ ପିଢ଼ିର କଅଁଳ କିଶୋରମାନେ। ପ୍ରଥମ ଘଟଣାରେ ବୃଢ଼ୀ ମାଆକୁ ତିରସ୍କାର କରି ନିଜ କର୍ମସ୍ଥଳକୁ ଫେରିଯାଉଥିବା ପିଲାମାନଙ୍କ ପିଲାଛୁଆମାନେ ନିଜ ଜେଜେମା’ଙ୍କ ପାଇଁ ଅନ୍ତରରେ ଦ୍ରବୀଭୂତ ହୋଇ ଯାଉଥିଲେ ବି ପ୍ରତିକ୍ରିୟା ପ୍ରକାଶ କରିବାର ବୟସ ସେମାନଙ୍କର ହୋଇନଥିଲା। ପୁଣି ଦ୍ୱିତୀୟ ଘଟଣାରେ ସଂସାରରୁ ଅଚାନକ ଅପସରି ଯାଇଥିବା ଜେଜେଙ୍କ ଶବ ପ୍ରତି ଅସମ୍ମାନ ହେଉଥିବା ଦେଖି ଟିକି ମନଟି ବିଦ୍ରୋହୀ ହୋଇ ଉଠୁଥିଲେ ବି କିଛି କରିବାର ନ ଥିଲା। ମନର ଅସ୍ବସ୍ତି ଓ ଅସନ୍ତୋଷକୁ ମନରେ ମାରି ଟିକିପିଲାମାନେ ନୀରବି ଯାଉଥିଲେ ସିନା, କିନ୍ତୁ ମହାକାଳର ହିସାବଖାତାରେ ସବୁ କିଛି ଲିପିବଦ୍ଧ ହୋଇ ରହୁଥିଲା। ସେଇ ହିସାବ ଅନୁଯାୟୀ ଜେଜେଙ୍କ ପଥୁରିବାଟିଟି ଯେ ସେମିତି ଅକ୍ଷତ ରହି ନାତିଟି ପାଖକୁ ଫେରି ନ ଆସିବ, କିଏ ଜାଣେ!
ପ୍ରଜ୍ଞାନିଳୟ, ବିଦ୍ୟାପତି ନଗର, ଚକେଇସିହାଣି, ଭୁବନେଶ୍ୱର
ମୋ: ୮୮୯୫୬୨୪୧୦୫


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri