ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ

ଦିଗପହଣ୍ଡି,୧୩।୧୦(ଡି.ଏନ୍‌.ଏ.): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗତ ଦୁଇଦିନ ହେଲା ବର୍ଷା ଲାଗି ରହିଛି। ତୁହାକୁ ତୁହା ବର୍ଷା ଯୋଗୁ ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଉଡ଼ିଆ ପଞ୍ଚାୟତ ବଉଳଘାଇ ଗ୍ରାମର ସିନ୍ଧୁ ସ୍ବାଇଁଙ୍କ ଘରକାନ୍ଥ ମଙ୍ଗଳବାର ସକାଳେ ଭୁଶୁଡି ପଡ଼ିଛି। ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାପଡିଛି। ଘର ମଧ୍ୟରେ ୧ ଫୁଟ ଉଚ୍ଚରେ ବର୍ଷାଜଳ ଲହଡ଼ି ମାରୁଛି। ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଳକ ଅଞ୍ଚଳରେ ଗତ ୧୨ ଦିନରେ ୧୩୯ ମିଲି ମିଟର ବର୍ଷା ହୋଇଥିବା ବେଳେ ମଙ୍ଗଳବାର ମଧ୍ୟାହ୍ନ ସୁଦ୍ଧା ୬୩ ମିଲି ମିଟର ବର୍ଷା ହୋଇଥିବା ବ୍ଳକ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।