Categories: ଫୁରସତ

୩ ଦଶନ୍ଧି ପରେ ଭାଙ୍ଗିବେ ମଉନ ବ୍ରତ

ରାଞ୍ଚି: ଅଯୋଧ୍ୟାରେ ରାମମନ୍ଦିରର ପ୍ରାଣ ପ୍ରତିଷ୍ଠା ହେଉଥିବାବେଳେ କୋଟି କୋଟି ଭାରତୀୟଙ୍କ ସ୍ବପ୍ନ ପୂରା ହେବାକୁ ଯାଉଛି। ୯୦ ଦଶକରେ ଯେତେବେଳେ ଅଯୋଧ୍ୟାରେ ଥିବା ରାମମନ୍ଦିରକୁ ନେଇ ସାରା ଦେଶରେ ଆନ୍ଦୋଳନ ସୃଷ୍ଟି ହୋଇଥିଲା, ସେତେବେଳେ ଝାଡ଼ଖଣ୍ଡ ଧାନବାଦ୍‌ର ବାସିନ୍ଦା ୮୫ ବର୍ଷୀୟା ସରସ୍ବତୀ ଦେବୀ ଏହି ମନ୍ଦିର ନିର୍ମାଣର ସ୍ବପ୍ନ ଦେଖିଥିଲେ। ଏହି ଇଚ୍ଛା ସହିତ ସେ ୧୯୯୨ ମସିହାରୁ ମଉନ ବ୍ରତ କରିବା ଆରମ୍ଭ କରିଥିଲେ। ଏବେ ଆସନ୍ତା ୨୨ ତାରିଖରେ ରାମମନ୍ଦିରର ପ୍ରାଣ ପ୍ରତିଷ୍ଠା ହେଉଥିବାରୁ ତାଙ୍କ ସ୍ବପ୍ନ ପୂରଣ ହେଉଛି। ସେ ଏହି ପବିତ୍ର ଦିନରେ ୩୦ ବର୍ଷ ପରେ ‘ସୀତାରାମ’ ଶବ୍ଦ ସହିତ ନିଜ ମଉନ ବ୍ରତ ଭାଙ୍ଗିବେ। ଏହି ଖବର ପାଇବା ପରେ ଗଣମାଧ୍ୟମ ଟିମ୍‌ ସରସ୍ବତୀ ଦେବୀଙ୍କ ଘରେ ପହଞ୍ଚିଥିଲେ। ସରସ୍ବତୀ ଦେବୀ କେବଳ କରତାଳି ସାହାଯ୍ୟରେ ଖୁସି ବ୍ୟକ୍ତ କରିଥିଲେ। ସରସ୍ବତୀ ଦେବୀ ତାଙ୍କର ମଉନ ବ୍ରତ ସମୟରେ ୪ ଧାମ ପରିଦର୍ଶନ କରିଛନ୍ତି। ସେ ବର୍ତ୍ତମାନ ପର୍ଯ୍ୟନ୍ତ ଅଯୋଧ୍ୟା, କାଶୀ, ମଥୁରା, ତିରୁପତି ବାଲାଜୀ, ସୋମନାଥ ମନ୍ଦିର, ବାବା ବୈଦ୍ୟନାଥ ଆଦି ମନ୍ଦିର ପରିଦର୍ଶନ କରିସାରିଛନ୍ତି। ୧୯୮୬ରେ ତାଙ୍କ ସ୍ବାମୀଙ୍କ ଦେହାନ୍ତ ପରେ ସରସ୍ବତୀ ଦେବୀ ନିଜ ଜୀବନକୁ ଭଗବାନ ରାମଙ୍କ ପାଦତଳେ ଉତ୍ସର୍ଗ କରିଦେଇଛନ୍ତି। ବର୍ତ୍ତମାନ ଅଧିକାଂଶ ସମୟ ଅଯୋଧ୍ୟାରେ ବିତାଉଛନ୍ତି। ସେ ଖୁସି ବ୍ୟକ୍ତ କରି ଲେଖିଛନ୍ତି, ଦୀର୍ଘ ୩ ଦଶନ୍ଧି ପରେ ତାଙ୍କ ଜୀବନ ସାର୍ଥକ ହୋଇଛି।

Share