ମୃତଦେହ ରଖି ଜିଲାପାଳଙ୍କ କାର୍ଯାଳୟ ଘେରିଲେ ଗ୍ରାମବାସୀ

ଫୁଲବାଣୀ ଅଫିସ,୨୬।୮: କନ୍ଧମାଳ ଜିଲା ଫୁଲବାଣୀ ସହର ନିକଟ ଡାକପାଲା ଡ୍ୟାମ୍‌ରେ ଜଣେ ବାଇକ୍‌ ଆରୋହୀ ଭସିଯାଇଥିଲେ। ପରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏହି ଘଟଣାକୁ ନେଇ ନେଇ ଶୁକ୍ରବାର ଉତ୍ତେଜନା ଦେଖା ଦେଇଛି। ଗ୍ରାମବାସୀ ଡ୍ୟାମ ଉପରେ ଏକ ପୋଲ ନିର୍ମାଣ ଦାବିରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମୃତଦେହ ରଖି ପ୍ରତିବାଦ କରିଛନ୍ତି। ଏଥିସହ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି। ଜିଲା ପ୍ରଶାସନ ପକ୍ଷରୁ ଉପଜିଲାପାଳ ଓ ପୋଲିସ ପହଞ୍ଚିି ଗ୍ରାମବାସୀଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ ଗ୍ରାମବାସୀ ତାଙ୍କ ଜିଦରେ ଅଟଳ ରହିଥିଲେ। ଜିଲାପାଳଙ୍କ ସହ ଆଲୋଚନା କରି ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ପରେ ଗ୍ରାମବାସୀ ଧାରଣାରୁ ଓହରି ଥିଲେ।
ସୂଚନାଯୋଗ୍ୟ, ବୁଧବାର ରାତି ୮ ଟାରେ ଡ୍ୟାମ ଉପରେ ୪ ଫୁଟର ପାଣି ଚାଲୁଥିଲା। ଯୁବକ ତାପସ ରଞ୍ଜନ ଘଟାଲ ବାଇକ୍‌ରେ ପାର ହେବାକୁ ଚେଷ୍ଟା କରୁଥିବା ବେଳେ ପାଣିର ପ୍ରଖର ସ୍ରୋତରେ ଭାସିଯାଇଥିଲେ।