ପାହାଡ଼ ଖୋଳି ଜମିକୁ ପାଣି ଆଣିଲେ ଗ୍ରାମବାସୀ

ଫୁଲବାଣୀ ଅଫିସ, ୨୯ା୭: ପାଣି ଅଭାବରୁ ଯେଉଁ ଜମି ପଡ଼ିଆ ପଡ଼ୁଥିଲା ତାହା ଏବେ ଫସଲରେ ଭରିଯିବ ବୋଲି ଆଶା ସଞ୍ଚାର ହୋଇଛି। ଜଣେ ଯୁବ ସରପଞ୍ଚ ଜମିକୁ ଯେପରି ହେଲେ ପାଣି ନେବେ ବୋଲି ପ୍ରୟାସ ଆରମ୍ଭ କରି ସେଥିରେ ସଫଳ ହୋଇଛନ୍ତି। କରୋନା ମହାମାରୀ ଯୋଗୁ ଗାଁକୁ ଫେରିଥିବା ପ୍ରବାସୀଙ୍କ ସହାୟତାରେ ପାହାଡ଼ରେ ଦୀର୍ଘ ୨ କି.ମି. କେନାଲ ଖୋଳି ଜମିକୁ ପାଣି ଆଣିବା ବ୍ୟବସ୍ଥା କରିଛନ୍ତି। କନ୍ଧମାଳ ଜିଲା କୋଟଗଡ ବ୍ଲକ ରାଣୀପଙ୍ଗା ପଞ୍ଚାୟତର ସରପଞ୍ଚ ଜୋହନ ପ୍ରଧାନ ଏହି କାର୍ଯ୍ୟ କରି ଦେଖାଇଛନ୍ତି।
ରାଣୀପଙ୍ଗା ପଞ୍ଚାୟତର ବି. ରାଣୀପଙ୍ଗା ଏକ ରାଜସ୍ବ ଗ୍ରାମ। ଏହି ଗ୍ରାମରେ ପ୍ରାୟ ୭୭ ଆଦିବାସୀ ପରିବାର ବସବାସ କରନ୍ତି। ଗ୍ରାମରେ ଭଲ ଚାଷ ଜମି ଥିଲେ ମଧ୍ୟ ପାଣି ସୁବିଧା ନାହିଁ। ଚାଷ ପାଇଁ ବର୍ଷା ଉପରେ ନିର୍ଭର କରିବାକୁ ପଡ଼େ। ତେଣୁ ବର୍ଷାଦିନେ ଯାହା କିଛି ଚାଷବାସ ହୁଏ। ଅନ୍ୟ ସମୟରେ ଜମି ପଡ଼ିଆ ପଡ଼ିଥାଏ। ଆଉ କିଛି ରୋଜଗାର ଉପାୟ ନ ଥିବାରୁ ଅଧିକାଂଶ ଗ୍ରାମବାସୀ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯିବାକୁ ବାଧ୍ୟ ହୁଅନ୍ତି। ସରପଞ୍ଚ ଏହି ସମସ୍ୟା ଜାଣିବା ପରେ ଜମିକୁ କିପରି ପାଣି ଆସିପାରିବ ଏବଂ ବର୍ଷସାରା ଚାଷ ହେବ ସେହି ଚିନ୍ତା କରିଥିଲେ। ଗ୍ରାମଠାରୁ ପ୍ରାୟ ୨ କି.ମି. ଦୂରରେ ଥିବା ୨ ପାହାଡ଼ରୁ ବାହାରିଥିବା ଦୁଇଟି ଝରଣା ପାଣି ବୋହିଯାଇ ନଷ୍ଟ ହେଉଥିବା ସେ ଜାଣିଥିଲେ। ଉକ୍ତ ପାଣି ଗ୍ରାମ ନିକଟକୁ ଆଣିବା ସହଜ ନ ଥିଲା। ପାହାଡ଼ରେ କେନାଲ ଖୋଳିବା ଅସମ୍ଭବ ଲାଗୁଥିଲା। ଏଥିପାଇଁ ଅନେକ ଶ୍ରମ ଓ ଅର୍ଥର ଆବଶ୍ୟକ ଥିଲା। ଅନ୍ୟପକ୍ଷରେ ଦାଦନ ଖଟିବାକୁ ବାହାରକୁ ଯାଇଥିବା ଗ୍ରାମର ଲୋକେ କରୋନା ଯୋଗୁ ଫେରିଆସି ଘରେ ବସିଥିଲେ। ସେମାନଙ୍କୁ କାମ ଯୋଗାଇ ଦେବାକୁ ସରକାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌) ଉପରେ ଗୁରୁତ୍ୱ ଦେଲେ। ତେଣୁ ଜୋହନ ଏହି ସୁଯୋଗକୁ ହାତଛଡ଼ା ନ କରି ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଉକ୍ତ ପ୍ରକଳ୍ପ ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପ୍ରସ୍ତାବ ଦେଲେ। ଏଥିପାଇଁ ୫ ଲକ୍ଷ ଟଙ୍କା ମଞ୍ଜୁର ହେଲା। ଜମିକୁ ପାଣି ମାଡିବ ଏବଂ ଚାଷ ହେବ ବୋଲି ଗ୍ରାମବାସୀଙ୍କୁ କାମ କରିବା ଲାଗି ଜୋହନ ବୁଝାଇଲେ। ଗ୍ରାମବାସୀ ବି ରୋଜଗାର ପାଇ କାମ ଆରମ୍ଭ କଲେ। ଏ ସମ୍ପର୍କରେ ସରପଞ୍ଚ ପ୍ରଧାନ କହିଛନ୍ତି, ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଗ୍ରାମର ପ୍ରାୟ ୧୦୦ ଏକରରୁ ଅଧିକ ଜମିରେ ଜଳସେଚନ ହୋଇପାରିବ ଏବଂ ବର୍ଷ ସାରା ବିଭିନ୍ନ ଫସଲ କରିହେବ। ଗ୍ରାମବାସୀଙ୍କୁ ଆଉ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯିବାକୁ ପଡିବନି। ଝରଣା ପାଣିକୁ କେନାଲ ମାଧ୍ୟମରେ ଶୁଖିଲା ଜମିକୁ ଆଣିବାର ପ୍ରୟାସ ଆତ୍ମସନ୍ତୋଷ ଦେଇଛି ବୋଲି ସରପଞ୍ଚ ପ୍ରକାଶ କରିଛନ୍ତି।