ଚିକିତ୍ସା ପାଇଁ ରୋଗୀଙ୍କୁ ଦୋଳାରେ ବୋହିଲେ ଗ୍ରାମବାସୀ

ପୋଲସରା,୩୦।୬(ସୁବ୍ରତ ବେହେରା) ସାଢ଼େ ଚାରି କୋଟି ଓଡ଼ିଆ ଅସହାୟ ଗରିବ ଲୋକଙ୍କ ପାଇଁ ବିଭିନ୍ନ ଯୋଜନା କରି ବାଃ ବାଃ ନେଉଛନ୍ତି ରାଜ୍ୟ ସରକାର। ହେଲେ ଗାଁକୁ ନାହିଁ ପକ୍କା ରାସ୍ତା। ଚିକିତ୍ସା ପାଇଁ ରୋଗୀଙ୍କୁ ଦୋଳାରେ ୬ କି.ମି. ବୋହିଲେ ଗ୍ରାମବାସୀ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଖୋଦ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପୂର୍ବତନ ଶ୍ରମମନ୍ତ୍ରୀ ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଅଞ୍ଚଳରେ।

ପୋଲସରା ବ୍ଲକ ଅନ୍ତର୍ଗତ ପାଣ୍ଡିରିପଡ଼ା ପଞ୍ଚାୟତ ପାହଡ଼ ପର୍ବତ ଦୁର୍ଗମ ଅଞ୍ଚଳ ତୋରର୍ଷିଂ ଗ୍ରାମର ସୁବାଷ ଶବର ବୟସ (୫୮)। ସେ ଦୀର୍ଘ ଦୁଇ ବର୍ଷ ହେବ ରୋଗ ଶଯ୍ୟାରେ ପଡ଼ି ରହିଛନ୍ତି। ଗୁରୁବାର ଦିନ ସ୍ବାସ୍ଥ୍ୟ ଅବସ୍ଥା ଅତି ଗୁରୁତର ହେବାରୁ ସୁବାଷଙ୍କୁ ଦୋଳା କରି ତୋରଶିଙ୍ଗ ଗ୍ରାମ ଠାରୁ ପାଲବା ୬ କିଲୋ ମିଟର ରାସ୍ତାରେ ବୋହିକରି ନେଲେ ଗ୍ରାମବାସୀ।
ପାହଡ଼ ପର୍ବତ ଦୁର୍ଗମ ଅଞ୍ଚଳ ତୋରର୍ଷିଙ୍ଗ ଗ୍ରାମରେ ବହୁ ବର୍ଷ ଧରି ୩୦ ଆଦିବାସୀ ପରିବାର ବସବାସ କରି ଆସୁଥିଲେ ମଧ୍ୟ ଏହି ଗ୍ରାମକୁ ଭଲ ପକ୍କା ରାସ୍ତା ଟିଏ ହୋଇ ପାରି ନାହିଁ। ସେହିପରି ଗୋଛବାଡ଼ି ପଞ୍ଚାୟତ ଚାଞ୍ଚରା ଗ୍ରାମରେ ୨୦ ଆଦିବାସୀ ପରିବାର ବସବାସ କରୁଛନ୍ତି। ଏହି ଦୁଇଟି ଗ୍ରାମର ଲୋକେ ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ କେହି ଗୁହାରି ଶୁଣୁ ନାହାନ୍ତି। ବିଧାୟକ ଶ୍ରୀକାନ୍ତ ସାହୁ ଗାଁକୁ ଗାଁ ଯାଇ ଲୋକଙ୍କ ସମସ୍ୟା ବୁଝୁଛନ୍ତି ବୋଲି ବାଃ ବାଃ ନେଉଛନ୍ତି। ହେଲେ ଏହି ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀ ଲୋକଙ୍କ ଦୁଃଖ କେମିତି ବିଧାୟକ ଶ୍ରୀକାନ୍ତ ସାହୁ ଓ ରାଜ୍ୟ ସରକାରଙ୍କ ନଜରରେ ଆସିଲା ନାହିଁ ତାହାକୁ ନ଼େଇ ଅଞ୍ଚଳରେ ବଡ଼ ପ୍ରଶ୍ନବାଚି ସୃଷ୍ଟି ହୋଇଛି।