Categories: କୋରାପୁଟ

ପାଣି ଆଣିବାକୁ ଅନ୍ୟ ସାହିକୁ ଯାଉଛନ୍ତି ଗ୍ରାମବାସୀ

ନାରାୟଣପାଟଣା ୨୨ା୫(ଡି.ଏନ୍‌.ଏ.): ଖରାର ପ୍ରକୋପ ଯେତିକି ବଢୁଛି ପାନୀୟ ଜଳ ନେଇ ସମସ୍ୟା ସେତିକି ଅଧିକ ହେଉଛି। ପାଣି ପାଇଁ ଲୋକେ ହନ୍ତସନ୍ତ ହେଉଛନ୍ତି। ସରକାର ଲକ୍ଷାଧିକ ଟଙ୍କା ଖର୍ଚ୍ଚକରି ପ୍ରକଳ୍ପ କରିଥିଲେ ମଧ୍ୟ ତାହା ଲୋକଙ୍କ କାମରେ ଆସୁ ନ ଥିବା ବେଳେ ଅନ୍ୟ ଗ୍ରାମର ନଳକୂପକୁ ଯାଇ ମହିଳାମାନେ ପାଣି ଆଣୁଛନ୍ତି । ଏପରି ଦେଖିବାକୁ ମିଳିଛି ନାରାୟଣପାଟଣା ବ୍ଲକର ପଥର ଦେଉଳ ସାହିରେ।
ଖବରରୁ ଜଣାପଡ଼ିଛି ନାରାୟଣପାଟଣା ବ୍ଲକ୍‌ଠାରୁ ଅଳ୍ପ କିଛି ଦୂରରେ ରହିଛି ପଥର ଦେଉଳସାହି। ସାହି ଉପର ପଟେ ରହୁଛନ୍ତି ବିସ୍ଥାପିତ କଲୋନିର ୪୦ ପରିବାର। ତଳ ସାହିରେ ମଧ୍ୟ ପାଖାପାଖି ୪୦ ପରିବାର ରହୁଛନ୍ତି। ହେଲେ ଏପର୍ଯ୍ୟନ୍ତ ଏଠାରେ ଗୋଟିଏ ମଧ୍ୟ ନଳକୂପ ଖୋଳାଯାଇନାହିଁ। ପାଣି ପାଇଁ ଗ୍ରାମବାସୀ ଗରା, ବାଲ୍‌ଟି ଧରି ପାଖରେ ଥିବା ଅନ୍ୟ ସାହି ତଥା ସରକାରୀ ହାଇସ୍କୁଲ ପାଖରେ ଥିବା ନଳକୂପକୁ ଯାଉଛନ୍ତି। ସେଠାରେ ପ୍ରଥମେ ସେହି ସାହିର ଲୋକେ ପାଣି ନେବା ପରେ ପଥର ଦେଉଳସାହିର ଲୋକଙ୍କୁ ପାଣି ମିଳିଥାଏ। ଅନ୍ୟପକ୍ଷରେ ଗାଁ ଭିତରେ ଭଲ ଢଳେଇ ରାସ୍ତାଟିଏ ମଧ୍ୟ ନାହିଁ। ବର୍ଷାଦିନ ଆସିଲେ ଗାଁ ରାସ୍ତା କଦୁଆରେ ବୁଡ଼ିଯାଏ। ଗ୍ରାମର ପାନୀୟ ଜଳ ଓ ରାସ୍ତା ନିର୍ମାଣ ଲାଗି ବହୁବାର ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳୁ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପାଣି ଓ ରାସ୍ତା ସମସ୍ୟାର ସମାଧାନ ନ ହେଲେ ଆଗାମୀ ଦିନରେ ବ୍ଲକ୍‌ କାର୍ଯ୍ୟାଳୟ ଘେରାଉ କରିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।