ମଦ ପିଇ ପାଟିତୁଣ୍ଡ କରୁଥିଲେ, ଅଟକାଇବାରୁ ଗାଁ ସଭାପତିଙ୍କୁ ଭୁସିଲେ ଛୁରି

ବୁଗୁଡା ,୧୩।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡା ଥାନା ଅନ୍ତର୍ଗତ ବୀର ଧନଞ୍ଜୟପୁର ଶାସନ ଗ୍ରାମ ସଭାପତି ତଥା ବାଲୁକେଶ୍ୱର ମନ୍ଦିର ପରିଚାଳକ ସୁଶାନ୍ତ କୁମାର ଦାଶ (କୁନା)ଙ୍କୁ ଛୁରା ମାଡ଼ ହୋଇଛି । ନବରାତ୍ର ଉପଲକ୍ଷେ ମଙ୍ଗଳବାର ଠାକୁରଙ୍କୁ ଗ୍ରାମ ପରିକ୍ରମା କରାଯାଉଥିବା ବେଳେ ଗାଁ ମୁହଁ ମନ୍ଦିର ଛକ ନିକଟରେ ଏକ ଘରୋଇ ବସର ଡ୍ରାଇଭର ଭାବେ କାର୍ଯ୍ୟ କରୁଥିବା ଉକ୍ତ ଗ୍ରାମର ନୀଳାଞ୍ଚଳ ଦାଶ (ବାବୁ) ମଦପିଇ ପାଟିତୁଣ୍ଡ କରିଥିଲେ । ସୁଶାନ୍ତ ଏହାର ପ୍ରତିବାଦ କରିବାରୁ ବାବୁ ଏକ ଛୁରିରେ ସୁଶାନ୍ତଙ୍କ ପେଟ ଓ ବାମ କାନ୍ଧକୁ ଭୁସି ଦେଇଥିଲେ। ଗୁରୁତର ଅବସ୍ଥାରେ ସୁଶାନ୍ତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି l ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରି ଆକ୍ରମଣକାରୀଙ୍କୁ ଥାନାରେ ଅଟକ ରଖିଥିବା ଜଣାପଡ଼ିଛି।