ହାହାଟ ବାରିଦିନ ଗାଁ ଏକ ଛୋଟକାଟର ଦିନିକିଆ ସହର ବା ବଜାରର ଭ୍ରମ ସୃଷ୍ଟି କରେ। ସହରରେ ବି ସାପ୍ତାହିକ ହାଟ ବସି ଗ୍ରାମ୍ୟ ସଂସ୍କୃତିକୁ ଉଜ୍ଜୀବିତ ରଖେ। ତେବେ ଗାଁ ହାଟର କଥା ଅଲଗା। ଅନୂ୍ୟନ ଅଶୀ ବର୍ଷ ତଳକୁ ଫେରି ଚାହିଁଲେ ପୁରପଲ୍ଲିର ଯେଉଁ ସ୍ବାଭାବିକ ଚିତ୍ର ଆଖି ଆଗରେ ଭାସି ଉଠେ ତା’ ମଧ୍ୟରେ ଗାଁ ହାଟର ସ୍ଥାନ ସ୍ବତନ୍ତ୍ର। ଦୁଇ ଓ ତିନି ଦିନ ଅନ୍ତରରେ ନିର୍ଦ୍ଦିଷ୍ଟ ହାଟବାରି ବା ହାଟପାଳି ପଡ଼େ, ଯେଉଁଦିନ ଅପରାହ୍ନରୁ ବସି ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ହାଟ ଲାଗେ। ସାଧାରଣତଃ ଶାନ୍ତ, ନୀରବ ଗାଁର ପରିବେଶ ସେଦିନ କୋଳାହଳମୟ ହୋଇପଡ଼େ। ନିଛାଟିଆ ରାସ୍ତା, ଘାଟ, ବାଟ ଜନାକୀର୍ଣ୍ଣ ହୋଇଯାଏ। ପ୍ରାୟ କୋଶେ ଦୂର ଯାଏ ହାଟର ଘୋ ଘୋ ଶବ୍ଦ ଶୁଭୁଥାଏ। ବିକାକିଣାର ପେଣ୍ଠସ୍ଥଳୀ ପାଲଟି ଯାଏ ଗାଁ ହାଟ ପଡ଼ିଆ।
ଆଗେ ଗାଁ ହାଟରେ ମନୋହରି ଦୋକାନରେ ସୌଖୀନ ପଦାର୍ଥଠାରୁ ବିଭିନ୍ନ ପ୍ରକାରର ଖେଳଣା ଯାଏ ଅନେକ ଜିନିଷ ଥାଏ। ପାଟରା ଦୋକାନରେ ଶଙ୍ଖା, ସିନ୍ଦୂର, କଜ୍ଜଳ, ଅଳତା, ଟିକିଲି ଆଦି ବିକ୍ରି ହୁଏ। ତେଜରାତି ଦୋକାନରେ ମଇଦା, ସୁଜି, ବେସନ, ଲୁଣ, ତେଲ, ମସଲା, ଜାଇ, ଶସ୍ୟ ଆଦି ପଦାର୍ଥ ମିଳେ। ହାଟର ଗୋଟିଏ କୋଣରେ ମିଳେ ମାଂସ, ମାଛ, ଅଣ୍ଡା, ଶୁଖୁଆ ଆଦି ବିଭିନ୍ନ ପ୍ରକାରର ଆମିଷ ଦ୍ରବ୍ୟ। ଅନ୍ୟ ଏକ ପଟରେ ଥାଏ ବିରି, ମୁଗ, କୋଳଥ, ମାଣ୍ଡିଆ, ଚାଉଳ,ଧାନ ଆଦି ଶସ୍ୟର ଦୋକାନ। ଗୋଟିଏ ସ୍ଥାନରେ ହାଣ୍ଡି, ମାଠିଆ, ଘଡି, ଠେକି, ପଲମ ପରି ମାଟି ନିର୍ମିତ ଦ୍ରବ୍ୟ ବିକ୍ରି ହେଉଥିବା ବେଳେ ଅନ୍ୟ ସ୍ଥାନରେ ପିତ୍ତଳ, କଂସା, ତମ୍ବା, ଧୋକ୍ରା, ରସ(ସିଲଭର୍) ଆଦିର ଦୋକାନ ଖୋଲିଥାଏ। ହାଟର ଅନ୍ୟ ଏକ ଆକର୍ଷଣ ହେଲା ପୁଟୁଳି ବଣିଆ ଦୋକାନ। ଏହାଛଡା ମାଛଧରା ସରଞ୍ଜାମ ଯଥା ଜାଲ,ବଜା, ମୁଗୁରା, ଖାଳେଇ, ବନିଶୀ କଣ୍ଟା, ତେରଣ୍ଡା (ମୟୂର ପଙ୍ଖା), ସୂତା, ଛଡ଼, ପୋଳୁହ ବି ମିଳେ। ହାଟର ରାସ୍ତା କଡରେ କୁଲା, ଛାଞ୍ଚୁଣି, ଟୋକେଇ, ବେତା, ଚାଲୁଣି,ଡାଲା, ଭୋଗେଇ, ଖଇଚଲା, ଝାମ୍ପି ଭଳି ବାଉଁଶ ତିଆରି ଜିନିଷ ଏବଂ ଦାଆ,କଟୁରି, କୁରାଢି, କାଙ୍କ, କୋଦାଳ (ଫାଉଡା), ତାଲା, ଚାବି, କତୁରି, ଲହୁରୁଣି ଆଦି ଲୌହ ନିର୍ମିତ ପଦାର୍ଥଗୁଡିକର ବିକ୍ରେତା ବିକ୍ରି ପାଇଁ ସଜେଇ ରଖିଥାନ୍ତି। ହାତଚଲା ସିଲେଇ ମେଶିନ୍ ଧରି ଦରଜୀ ରଫୁ ଓ ଛୋଟ ପିଲାଙ୍କ ପୋଷାକ ସିଲେଇ ପାଇଁ ବସିପଡେ। ଆଗ କାଳରେ ହାଟରେ ମିଳୁଥିବା କେତେକ ଘରକରଣା ଜିନିଷ ଯଥା ଓଳିଆ, ଓଦର, ଘୁମ,ବଟୁଆ, ପାନଡାଲା, ପିକଦାନୀ, ଲୁଣଅଢ଼ା, ହଳଦୀ କାଠୁଆ,କଳାପାତି, ଶିକା, ତୁଣ୍ଡି, ବାଣି ଟାକୁଆ, ହେଁସ, କାଠ ସିନ୍ଦୂରଫରୁଆ, ଖୁରୁପି, ନେଡେଣି, ଖଞ୍ଜଣି, ଲଣ୍ଠନ, କ୍ଷୁର, ତେଲଘଡି, ବାଉଁଶ ତିଆରି ପଳା, ମସାଲ, ଡିବିରି ଇତ୍ୟାଦି ଏବେ ଆଉ ନାହିଁ ।
‘ବହୁତ ଲୋକ ଯହିଁ ମିଳି,ଅବଶ୍ୟ ଉପୁଜଇ କଳି’। ଅତଏବ ହାଟରେ ବେଳେ ବେଳେ ଗଣ୍ଡଗୋଳ,ପାଟିତୁଣ୍ଡ ହୁଏ। ହେଲେ ହାଟ ଦଣ୍ଡିଆ ସେ ସବୁକୁ ସମ୍ଭାଳି ନିଅନ୍ତି। ହାଟକୁ ନିଲାମ ଧରିଥିବା ଦଣ୍ଡିଆ ହାଟ ପଡ଼ିଆରେ ମାଟି ପିଣ୍ଡି ଓ ବରଡା ପତ୍ର ଛପରରେ ହାଟ ଚାଳିଆ ତିଆରି କରିଥାନ୍ତି ଏବଂ ବିକାଳିଙ୍କଠାରୁ ମାହାସୁଲ୍(ତୋଳା)ଆଦାୟ କରନ୍ତି। ସେତେବେଳେ ସଉଦା କରିବା ପାଇଁ ପଇସାର ଅଭାବ ଥିବାରୁ ଜିନିଷ ବିନିମୟରେ ଜିନିଷ ବିକାକିଣା (ବାଟାର୍ ସିଷ୍ଟମ୍) ପ୍ରଚଳିତ ଥିଲା। ହାଟ ତ ଏକ ଅନୁଷ୍ଠାନ ନ ଥିଲା, ଥିଲା ଅନେକ ଭାବାବେଗର ପ୍ରତୀକ। ଏଠାରେ ଅଜଣା ଲୋକଙ୍କ ସହିତ ପରିଚୟ, ପରସ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନ, ବନ୍ଧୁତା ସୃଷ୍ଟି, ସମ୍ପର୍କ ପ୍ରତିଷ୍ଠା ଭଳି ଘଟଣା ମାଧ୍ୟମରେ ସମ୍ପର୍କର ପରିସର ବୃଦ୍ଧିପାଏ। ଚାଟଶାଳୀରେ ପଢୁଥିବା ଛାତ୍ରୀଛାତ୍ର ପ୍ରତି ହାଟପାଳି ଦିନ ଅବଧାନଙ୍କୁ ‘ହାଟଗଣ୍ଡା’ ଦେଇ ପ୍ରଣାମ କରନ୍ତି। ଜନଜୀବନ ସହିତ ହାଟ ଏତେ ସଂଶ୍ଲିଷ୍ଟ ହୋଇପଡିଛି ଯେ ହାଟକୁ କେନ୍ଦ୍ରକରି ଅନେକ ବଚନିକା ଲୋକ ମୁଖରେ ପ୍ରଚଳିତ ରହିଛି; ଯେପରି, ‘ବାଟ ଛାଡ଼ ମୁଁ ହାଟକୁ ଯିବ’, ‘ହାଟବାଟରେ ଚର୍ଚ୍ଚା’, ‘ମୁଁ ହାଟ ବାହୁଡା’, ‘ଏଠି କ’ଣ ହାଟ ବସିଛି?’, ‘ମାଛ ହାଟ ପରି କ’ଣ ପାଟିକରି କମ୍ପଉଚ୍ଛ’, ‘ହାଟ ଭିତରେ ବ୍ରହ୍ମଜ୍ଞାନ’,‘ଦାଣ୍ଡରେ ପଡ଼ି ହାଟରେ ଗଡ଼ିବା’ଇତ୍ୟାଦି। ହାଟ ସରିଗଲେ କ୍ରେତା ବିକ୍ରେତା ଯିଏ ଯାହା ବାଟରେ ଫେରି ଯାଆନ୍ତି ଏବଂ ହାଟ ପଡିଆଟି ଶୂନ୍ଶାନ୍ ହୋଇ ପଡିରହେ। ଏଭଳି ସମ୍ବେଦନଶୀଳ ଘଟଣାକୁ ମଣିଷ ଜୀବନ ସହିତ ତୁଳନା କରି ଲୋକମୁଖରେ ଗଡି ଆସିଅଛି ଭାବପ୍ରବଣତାର ବାର୍ତ୍ତାଟିଏ, ”ହାଟ ସରିଗଲେ (ଜୀବନର ଅବଧି ଶେଷ ହୋଇଗଲେ) କେହି ରହିବେନି, ଯିଏ ଯାହାର ବାଟରେ ଚାଲିଯିବେ“।
ଅଲେଖ ଚନ୍ଦ୍ର ମିଶ୍ର
ମୋ:୯୪୩୮୬୭୩୮୯୮