Categories: ଜାତୀୟ

ଟ୍ରେନ୍‌ରେ ହେବ ସିସିଟିଭି ମନିଟରିଂ

ନୂଆଦିଲ୍ଲୀ,୧୩ା୭(ପି.ଟି.): ଟ୍ରେନ୍‌ ଯାତ୍ରାକୁ ଅଧିକ ନିରାପଦ ଓ ଆରାମଦାୟକ କରିବା ଲାଗି ରେଲ୍‌ଓ୍ବେ ବୋର୍ଡ ୨୦ଟି ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେଗୁଡ଼ିକ ମଧ୍ୟରେ ରହିଛି ଟ୍ରେନ୍‌ ଛାଡ଼ିବା ପୂର୍ବରୁ ଯାତ୍ରୀଙ୍କୁ ସତର୍କ ସୂଚନା ଦେବା, କୋଚ୍‌ ଭିତରେ ରିଅଲ ଟାଇମ୍‌ ସିସିଟିଭି ମନିଟରିଂ, ମୋବାଇଲ୍‌ ଆପ୍ଲିକେଶନ ଜରିଆରେ ଅଣସଂରକ୍ଷିତ ଟିକେଟ ପ୍ରିଣ୍ଟିଂ ଇତ୍ୟାଦି। ବିଭିନ୍ନ ଜୋନ୍‌ର କର୍ମଚାରୀମାନଙ୍କୁ ସେମାନଙ୍କର ନୂତନ ଚିନ୍ତାଧାରା ସମ୍ପର୍କରେ ଜଣାଇବାକୁ ରେଲଓ୍ବେ ପକ୍ଷରୁ ୨୦୧୮ରେ ଏକ ପୋର୍ଟାଲ ଲଞ୍ଚ କରାଯାଇଥିଲା। ଏଥିରେ ବିଭିନ୍ନ ଜୋନ୍‌ରୁ ୨,୬୪୫ ପ୍ରସ୍ତାବ ଆସିଥିବାବେଳେ ସେଥିରୁ ପ୍ରାରମ୍ଭିକ ଭାବେ ୨୦ଟିକୁ ଚୟନ କରାଯାଇଛି। ରେଳଧାରଣାରେ ତ୍ରୁଟି ଚିହ୍ନଟ ଲାଗି ଉତ୍ତର କେନ୍ଦ୍ରୀୟ ରେଲଓ୍ବେ ପକ୍ଷରୁ ଏକ ସିଷ୍ଟମର ବିକାଶ କରାଯାଇଛି। ସେହିପରି ଟ୍ରେନ୍‌ର ବେଗ ଓ ଟ୍ରାକ୍‌ର ଉତ୍ତାପ ଜାଣିବା ପାଇଁ ପୂର୍ବାଞ୍ଚଳ ରେଳପଥ ମାଲଦା ଡିଭିଜନ ପକ୍ଷରୁ ପାଇରୋମିଟର ବ୍ୟବହାର କରାଯାଉଛି। ଟ୍ରେନ୍‌କୁ ଲାଇନଚ୍ୟୁତ ହେବାରୁ ରକ୍ଷା କରିବା ପାଇଁ ଆଲ୍ଲାହାବାଦ ଡିଭିଜନ ଓ୍ବାଗନ ବିଭାଗ ହଟ୍‌ ଅକ୍ସେଲ୍‌ ବକ୍ସ ଡିଟେକ୍ଟରର ବିକାଶ କରିଛି। ପଶ୍ଚିମାଞ୍ଚଳ ରେଲଓ୍ବେ ପକ୍ଷରୁ ବିନା ବିଦ୍ୟୁତ୍‌ରେ ପ୍ରାକୃତିକ ଜଳ ଶୀତଳୀକରଣ ଉପକରଣ ପ୍ରସ୍ତୁତ କରାଯାଇଛି। ଏହାର ଦାମ୍‌ ୧.୨୫ ଲକ୍ଷ ଟଙ୍କା ହୋଇଥିବାବେଳେ ଏହି ଯନ୍ତ୍ର ୧୦ ବର୍ଷ କାର୍ଯ୍ୟ କରିବ। ଯାତ୍ରୀଙ୍କୁ ସତର୍କ କରିବା ଲାଗି ବେଲ୍‌ ସିଷ୍ଟମ୍‌ ଆଲ୍ଲାହାବାଦ ଡିଭିଜନ ପ୍ରସ୍ତୁତ କରିଛି। ହମ୍‌ସଫର ଟ୍ରେନ୍‌ କୋଚ୍‌ଗୁଡ଼ିକରେ ସିସିଟିଭି ଲାଗିଥିଲେ ହେଁ ଏହାର ରିଅଲ ଟାଇମ୍‌ ମନିଟର ବ୍ୟବସ୍ଥା ନ ଥିଲା। ଉତ୍ତର କେନ୍ଦ୍ରୀୟ ରେଲଓ୍ବେ ପକ୍ଷରୁ ଏହାର ବିକାଶ କରାଯାଇଛି। ଏହାର ଡିସ୍‌ପ୍ଲେ ୟୁନିଟ ଗାର୍ଡ କମ୍ପାର୍ଟମେଣ୍ଟରେ ରହିବ। ଟ୍ରେନ୍‌ ଭିତରେ ଅପରାଧ ଆଦି ରୋକିବାରେ ଏହା ସହାୟକ ହେବ।

Share