ବଣାଇଁ,୨୦ା୭(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡ ଗୁରୁଣ୍ଡିଆଥାନା ଅନ୍ତର୍ଗତ ପଙ୍କଡ଼ିହି ଅଙ୍ଗନଓ୍ବାଡ଼ିରେ କର୍ମୀ ଥିବା ଜୟନ୍ତୀ କୁଜୁର୍ଙ୍କୁ ପରକିୟା ପ୍ରୀତି ସନ୍ଦେହରେ ସ୍ବାମୀ ଲକ୍ଷ୍ମଣ ଓରାମ ହତ୍ୟା କରି ଏକ ଅଖାରେ ପୂରାଇ ନଦୀରେ ଫୋପାଡ଼ି ଥିବା ବିଷୟ ରବିବାର ଅଭିଯୁକ୍ତ ସ୍ବାମୀ ଲକ୍ଷ୍ମଣ ଗୁରୁଣ୍ଡିଆ ଥାନାରେ ଆତ୍ମସମର୍ପଣ କରିବା ପରେ ସ୍ପଷ୍ଟ ହୋଇଛି।
ଗତକାଲି ଜଡ଼ାରୁ ହଠାତ ଅଙ୍ଗନଓ୍ବାଡ଼ି କର୍ମୀ ଜୟନ୍ତୀ କେଉଁଆଡ଼େ ନିଖୋଜ ହୋଇଯାଇଥିବା ନେଇ ଚର୍ଚ୍ଚା ଚାଲିଥିଲା। ହେଲେ ଆଜି ସ୍ବାମୀ ଗୁରୁଣ୍ଡିଆ ଥାନାରେ ଆତ୍ମସମର୍ପଣ କରି ସତ ମାନିବା ପରେ ପୋଲିସ ତନାଘନା କରୁଛି।
ସୂଚନାଯୋଗ୍ୟ, ଗତ ୨୦୧୯ରେ ଅର୍ଥାତ ୬ ବର୍ଷ ତଳେ ଜଡ଼ା ଗ୍ରାମର ଲକ୍ଷ୍ମଣ ଓରାମ ଓ ସୁନ୍ଦରଗଡ଼ କିଞ୍ଜିରିକେଲା ଗ୍ରାମର ଜୟନ୍ତୀ କୁଜୁରଙ୍କୁ ବିବାହ କରିଥିଲେ। ଜୟନ୍ତୀଙ୍କର ଅନ୍ୟ ଜଣେ ପୁରୁଷ ବନ୍ଧୁ ଥିବା ଜାଣି ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଜାରି ରହିଥିଲା। ଏପରିକି ଉଭୟଙ୍କ ମଧ୍ୟରେ ଝଗଡ଼ା କାରଣରୁ ଜୟନ୍ତୀ ନିଜ ବାପଘରକୁ ମଧ୍ୟ ଚାଲିଯାଇଥିଲେ। ପରେ ଲକ୍ଷ୍ମଣ ବୁଝାଶୁଝା କରି ପୁଣି ଜୟନ୍ତୀଙ୍କୁ ଡାକି ଆଣିବା ପରେ ହତ୍ୟା ଷଡ଼ଯନ୍ତ୍ର ରଚିଥିଲେ । ଗତକାଲି ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ଏକ ଅଖାରେ ମୃତଦେହ ପୂରାଇ ଅଭିଯୁକ୍ତ ସ୍ବାମୀ ଲାଠିକଟା ଥାନା ଅନ୍ତର୍ଗତ ଟିମଜୋର ବ୍ରାହ୍ମଣୀ ବ୍ରିଜ ଉପରୁ ଅଖାକୁ ଫୋପାଡି ଦେଇଥିବା ନେଇ ଆତ୍ମସମର୍ପଣ ପରେ ପୋଲିସକୁ କହିଛନ୍ତ। ଅଭିଯୁକ୍ତଙ୍କ ବୟାନକୁ ଆଧାର କରି ପୋଲିସ ଅଗ୍ନିଶମ ବାହିନୀର ସହାୟତା କ୍ରମେ ନଦୀରେ ଖୋଜାଖୋଜି ଆରମ୍ଭ କରିଛି।


