ଭାଇଚାରାର ପରମ୍ପରା ‘ଜୁଗିନୀଗିଡି’

ବାରିପଦା ଅଫିସ,୨୬।୧-ଭାରତୀୟ ସଂସ୍କୃତିର ଆଦି ନିର୍ମାତା ଭାବେ ଆଦିବାସୀମାନେ ନିଜ ସଂସ୍କୃତି ଓ ପରମ୍ପରାକୁ ଜାବୁଡ଼ି ଧରିଥାନ୍ତି। ଏହାମଧ୍ୟରେ ‘ଜୁଗିନୀଗିଡି’ ହେଉଛି ସେମାନଙ୍କର ଅନନ୍ୟ ଏକ ପରମ୍ପରା। ଏହି ପରମ୍ପରାରେ ରହିଛି ଭାଇଚାରା, ସ୍ବଚ୍ଛତା, ସାମାଜିକ ଚଳଣୀ ଓ ପରିବେଶ ସୁରକ୍ଷାର ବାର୍ତ୍ତା। ମୟୂରଭଞ୍ଜ ଜିଲା ବାରିପଦା ସହର ଉପକଣ୍ଠ ଦେବେନ୍ଦ୍ରପୁର ଓ ରଙ୍ଗାମାଟିଆ ଅଞ୍ଚଳର ଆଦିବାସୀମାନେ ରବିବାର ଏହାକୁ ପାଳନ କରିଛନ୍ତି। ବଡ଼ିଭୋରରୁ ଉଠି ପ୍ରତ୍ୟେକ ପରିବାରରୁ ପୁରୁଷମାନେ ଘରର ଅଦରକାରୀ ସାମଗ୍ରୀ(ଧାତ୍ରା)କୁ ଦଉଡ଼ିରେ ବାନ୍ଧି ଟାଣି ଟାଣି ନେଇ ଗଁାରୁ ବାହାର କରି ଦେଇଛନ୍ତି। ଦେବେନ୍ଦ୍ରପୁର ଓ ରଙ୍ଗାମାଟିଆ ଗ୍ରାମର ୧୯୦ ପରିବାର ଲୋକ ଏକତ୍ର ହୋଇ ଗଁା ମୁଣ୍ଡରେ ଥିବା ଜଙ୍ଗଲର ଏକ ଗଛରେ ଏହାକୁ ବାନ୍ଧି ଦେଇଛନ୍ତି। ଗ୍ରାମର ଓଝା ସେହି ଗଛ ମୂଳେ ଜୁଗିନୀକୁ ସିନ୍ଦୂର, ଧୁପ, ଝୁଣା, ଭୋଗ ଲଗାଇ ଏକ କୁକୁଡ଼ା ଚିଅଁାକୁ ପୂଜା କରି ଛାଡ଼ି ଦିଅନ୍ତି। ଏହି ପରମ୍ପରାକୁ ‘ଜୁଗିନୀଗିଡି’ ବୋଲି କୁହାଯାଏ।
ଏହି ପରମ୍ପରା ଅନୁଯାୟୀ ବର୍ଷକୁ ଥରେ ଗ୍ରାମର ସମସ୍ତ ଲୋକ ସାମିଲ ହୋଇ ଆଗାମୀ ବର୍ଷ ପାଇଁ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରନ୍ତି। ଗ୍ରାମର ଲକ୍ଷ୍ମଣ ଟୁଡୁ କହନ୍ତି, ଆଦିବାସୀଙ୍କ ମଧ୍ୟରେ ଥିବା ସାନ୍ତାଳ, ଭୂମିଜ, କୋହ୍ଲ ଏବଂ ହୋ ଜାତି ସମ୍ପ୍ରଦାୟର ଲୋକେ ମକର ସଂକ୍ରାନ୍ତିଠାରୁ ନବବର୍ଷ ପାଳନ କରିଥାନ୍ତି। ଦଶମୀ ପରଦିନ ଏହି ଜୁଗିନୀଗିଡି ପରମ୍ପରାକୁ ପାଳନ କରାଯାଇଥାଏ। ଲୋକେ ପ୍ରତ୍ୟୁଷରୁ ବାହାରି ଜୁଗିନୀକୁ ଗଁା ସୀମା ପାର କରି ଏକ ଗଛ ମୂଳେ ବାନ୍ଧି ଦେଇଥାନ୍ତି। ସେଠାରୁ ଫେରିବା ପରେ ଏକ ଜଳାଶୟକୁ ଯାଇ ଶୌଚ ହୋଇ ପରେ ଗଁା ମୁଣ୍ଡରେ ଥିବା ଏକ ନିଛାଟିଆ ସ୍ଥାନରେ ନାଏକେ ଗଣ ପୂଜା କରିଥାନ୍ତି। ଅପରାହ୍ନରେ ସମସ୍ତ ଗ୍ରାମବାସୀ ଏକଜୁଟ ହେବା ପରେ ବଡ଼ ସଭାରେ ବିଭିନ୍ନ ବିଷୟରେ ଆଲୋଚନା କରାଯାଇ ସର୍ବସମ୍ମତି କ୍ରମେ ଗୃହୀତ ହୋଇଥାଏ। ଦେବେନ୍ଦ୍ରପୁରର ସୁନାରାମ ମୁର୍ମୁ କହନ୍ତି, ଏହି ଦିନଠାରୁ ନିଜ ଘର କିମ୍ବା କ୍ଷେତ ପାଇଁ ଗଛ କାଟିବାକୁ ଅନୁମତି ମିଳିଥାଏ। ତେବେ ଏହି ପରମ୍ପରା ପାଳନ ପୂର୍ବରୁ ଗ୍ରାମରେ କେହି ଜନ୍ମ ହେଲେ କିମ୍ବା କାହାର ମୃତ୍ୟୁ ଘଟିଲେ, ପରମ୍ପରା ପାଳନ ନେଇ ଦିନ ଧାର୍ଯ୍ୟ କରାଯାଇଥାଏ। ପୂର୍ବପୁରୁଷରୁ ସ୍ବଚ୍ଛତା ଦିଗରେ ଏଭଳି ପରମ୍ପରା ଚାଲି ଆସୁଛି ବୋଲି ସୁନାରାମ ସୋରେନ ମତ ପ୍ରକାଶ କରିଛନ୍ତି।