ଏହି ମନ୍ଦିରର ୧୪୦ କର୍ମଚାରୀଙ୍କୁ କରୋନା

ହାଇଦ୍ରାବାଦ,୧୭ା୭: ଆନ୍ଧ୍ରପ୍ରଦେଶର ତିରୁପତି ବାଲାଜୀ ମନ୍ଦିରରେ ସଂକ୍ରମଣକୁ ରୋକିବା ପାଇଁ ସମସ୍ତ ବ୍ୟବସ୍ଥା କରାଯିବା ପରେ ମଧ୍ୟ କରୋନା ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଟ୍ରଷ୍ଟର ୧୪୦ରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ଏଥିରେ ୧୪ ଜଣ ପୂଜାରୀ ମଧ୍ୟ ଅନ୍ତର୍ଭୁକ୍ତ। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ପରେ କର୍ମଚାରୀ ସଂଗଠନ ଏବଂ ରାଜନୈତିକ ଦଳ କିଛି ଦିନ ଧରି ମନ୍ଦିର ପରିଦର୍ଶନ ବନ୍ଦ କରିବାକୁ ଚାପ ପକାଉଛନ୍ତି। ତଥାପି ଟ୍ରଷ୍ଟ ବର୍ତ୍ତମାନ ସମୟରେ ଏହା କରିବାକୁ ପ୍ରସ୍ତୁତ ନୁହେଁ।
ଏହି ମନ୍ଦିର ଜୁନ୍‌-୮ରେ ଅନ୍‌ଲକ୍‌-୧ରେ ଖୋଲା ଯାଇଥିଲା। ୧୧ ଜୁନ୍‌ ଠାରୁ ଏହା ସାଧାରଣ ଲୋକଙ୍କ ପାଇଁ ଖୋଲା ଯାଇଥିଲା। ୨ ଦିନ ପରେ, ଅର୍ଥାତ୍‌ ଜୁନ ୧୩ରୁ ମନ୍ଦିର କର୍ମଚାରୀଙ୍କ ଠାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲା। ଭକ୍ତଙ୍କ ସଂଖ୍ୟା ପ୍ରାୟ ୬ ହଜାରରୁ ୧୫ ହଜାର ପର୍ଯ୍ୟନ୍ତ ବୃଦ୍ଧି ହୋଇଥିଲା। କିନ୍ତୁ ମନ୍ଦିରରେ କରୋନା ପ୍ରଭାବ ଯୋଗୁ ବର୍ତ୍ତମାନ ଭିଡ଼ କମିଛି। ବର୍ତ୍ତମାନ ପ୍ରତ୍ୟେକ ଦିନ ୮ରୁ ୯ ହଜାର ଭକ୍ତ ଠାକୁରଙ୍କୁ ଦର୍ଶନ କରୁଛନ୍ତି। ମନ୍ଦିରରେ ସଂକ୍ରମଣ ବୃଦ୍ଧି ପାଇବା ପରେ ଏବେ ଏଠାରେ ଦର୍ଶନ ବନ୍ଦ ପାଇଁ ଦାବି ହେଉଛି।
ମନ୍ଦିର ଟ୍ରଷ୍ଟର ଚେୟାରମ୍ୟାନ ଓ୍ବାଇ.ବି. ସୁବାରେଡ୍ଡୀ କହିଛନ୍ତି, ମନ୍ଦିରର ପରିସ୍ଥିତି ଏବେ ମଧ୍ୟ ନିୟନ୍ତ୍ରଣରେ ଅଛି। ତେଣୁ ପୁନର୍ବାର ମନ୍ଦିର ବନ୍ଦ କରିବାର କୌଣସି କାରଣ ନାହିଁ।

Share