ଦୁର୍ଘଟଣାସ୍ଥଳରେ ପହଞ୍ଚିଲା ଟେକ୍‌ନିକାଲ ଟିମ୍‌

କେନ୍ଦୁଝର,୨୮ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ଟାଉନ ଥାନା ଅନ୍ତର୍ଗତ ପୁରୁଣାସହର ଷଠିଘର ନିକଟରେ ଏନ୍‌ଏଚ୍‌ ୨୦ରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର କାରଣ ଯାଞ୍ଚ କରିବା ସହ ବାରମ୍ବାର ଅଘଟଣ ଘଟୁଥିବାରୁ ଲୋକଙ୍କ ଫ୍ଲାଇ ଓଭର ନିର୍ମାଣ ଦାବି ନେଇ ଏକ ଟେକ୍‌ନିକାଲ ଟିମ୍‌ ଘଟଣାସ୍ଥଳକୁ ଯାଇ ସର୍‌ଜମିନ ତଦନ୍ତ କରିଛନ୍ତି। ଏହି ଟିମ୍‌ରେ ଏନ୍‌ଏଚ୍‌ଏଆଇର ଅଧିକାରୀମାନେ ସାମିଲ ଥିଲେ। ଉକ୍ତ ସ୍ଥାନରେ ଡ୍ରେନେଜ ସୁବିଧା ନ ଥିବାରୁ ରାସ୍ତା ଉପରେ ପାଣି ଗଡୁଥିବା ବେଳେ ଜନବସତି ଅଞ୍ଚଳ ହୋଇଥିବା ସତ୍ତ୍ୱେ ଦୁର୍ଘଟଣା ରୋକିବା ପାଇଁ କୌଣସି ସୁବ୍ୟବସ୍ଥା କରି ନ ଥିବାରୁ ଲୋକଙ୍କ ଅସନ୍ତୋଷ ଦେଖାଦେଇଥିଲା। ଏନେଇ ଜିଲାପାଳ ଆଶିଷ ଠାକ୍‌ରେ କହିଛନ୍ତି, ଲୋକଙ୍କ ଅଭିଯୋଗ ପାଇବା ପରେ ଟେକ୍‌ନିକାଲ ଟିମ୍‌ ପଠାଯାଇଛି। ମୃତ ଓ ଆହତମାନଙ୍କୁ ରେଡ୍‌କ୍ରସରୁ ସହାୟତା ପ୍ରଦାନ କରାଯାଇଛି। ଅନ୍ୟପକ୍ଷରେ ଥାନା ଅଧିକାରୀ ସୁନିଲ କର କହିଛନ୍ତି, ଡ୍ରାଇଭର ଫେରାର ହୋଇଯାଇଛି। ଟ୍ରକ୍‌ ଜବତ କରି ତଦନ୍ତ କରାଯାଉଛି।